ମନ୍ତ୍ରୀ ପଦରୁ ରାମଲିଙ୍ଗା ରେଡ୍ଡୀଙ୍କ ଇସ୍ତଫା
କର୍ଣ୍ଣାଟକର ନୂତନ ସରକାର ଗଠନର ମାତ୍ର ଦୁଇଦିନ ପରେ ଶାସକ କଂଗ୍ରେସ ଶିବିରରେ ଏକ ବଡ଼ ଧରଣର ରାଜନୈତିକ ସଂକଟ ଦେଖାଯାଇଛି ।
ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ବିଶେଷ କରି ବିଭାଗ ବଂଟନକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି ।
ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ‘ବେଙ୍ଗାଲୁରୁ ବିକାଶ’ ବିଭାଗ ମିଳିବ ବୋଲି ପୂର୍ବରୁ ଦୁଇଦୁଇ ଥର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଶେଷ ମୁହୂର୍ତରେ ତାଙ୍କୁ ‘ମଧ୍ୟମ ଓ ବୃହତ ଜଳସେଚନ’ ବିଭାଗ ପ୍ରଦାନ କରାଯାଇଥିଲା । ଯାହାକୁ ନେଇ ସେ ଏଭଳି ନିଷ୍ପତି ନେଇଛନ୍ତି । ନିଜର ଇସ୍ତଫା ପତ୍ରରେ ସ୍ୱାକ୍ଷର କରିବା ପରେ ସେ ସ୍ପଷ୍ଟ କରିଛନ୍ତି ଯେ ସେ କେବଳ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି, ମାତ୍ର ଜଣେ ବିଧାୟକ ଭାବେ କାର୍ଯ୍ୟ ଜାରି ରଖିବେ ।
ଏଥିସହ ସେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କିମ୍ବା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମୈୟାଙ୍କ ଉପରେ ବ୍ୟକ୍ତିଗତ ଭାବେ ଅସନ୍ତୋଷ ନଥିବା ପ୍ରକାଶ କରିଛନ୍ତି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ଇସ୍ତଫା ପ୍ରସଙ୍ଗକୁ ହାଲୁକା ଭାବେ ଗ୍ରହଣ କରି କହିଛନ୍ତି ଯେ ରାମଲିଙ୍ଗା ରେଡ୍ଡୀ ତାଙ୍କର ଜଣେ ପୁରୁଣା ସହକର୍ମୀ ଏବଂ ଘନିଷ୍ଠ ବନ୍ଧୁ । ସେ ଜଣେ ଅଭିଜ୍ଞ ନେତା ଏବଂ ସରକାରରେ ତାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ।
ବିଭାଗ ବଂଟନକୁ ନେଇ ଯଦି କିଛି ମତାନ୍ତର ରହିଛି, ତେବେ ସେ ବ୍ୟକ୍ତିଗତ ଭାବେ ତାଙ୍କ ସହ ଆଲୋଚନା କରି ଏହାର ସମାଧାନ କରିବେ । ଶିବକୁମାର କହିଛନ୍ତି ଯେ ସେ ଚାହୁଁଛନ୍ତି ତାଙ୍କୁ ଏପରି କିଛି ଦାୟିତ୍ୱ ଦିଆଯାଉ ଯେଉଁଥିରେ ସେ ଲୋକଙ୍କ ସହ ଅଧିକ ଜଡ଼ିତ ହୋଇପାରିବେ ।
ତେବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରେଡ୍ଡୀଙ୍କୁ ଦିଆଯିବାକୁ ଥିବା ବେଙ୍ଗାଲୁରୁ ବିକାଶ ବିଭାଗ ବର୍ତମାନ ବରିଷ୍ଠ ନେତା କୃଷ୍ଣା ବାଈରେ ଗୌଡ଼ାଙ୍କୁ ହସ୍ତାନ୍ତର କରାଯାଇଛି, ଯାହାକୁ ନେଇ ବିବାଦ ଉଗ୍ର ରୂପ ନେଇଥିବା ଦେଖାଯାଇଛି ।