ଡାକ୍ତରୀ ଛାତ୍ରୀଙ୍କ ମୃତଦେହ କାଠଯୋଡ଼ିରୁ ଉଦ୍ଧାର
ବାରଙ୍ଗ ଥାନା ପୁଲିସ ଗୁରୁବାର ସକାଳେ ତ୍ରିଶୂଳିଆ ସୁଭାଷ ସେତୁ ତଳ କାଠଯୋଡ଼ି ନଦୀରୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ମତୃଦେହ ଉଦ୍ଧାର କରିଛି ।
ମୃତକ ଜଣକ ହେଲେ ବାଲେଶ୍ୱର ମେଡ଼ିକାଲ କଲେଜର ଶେଷବର୍ଷ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଲା ହେମ୍ବ୍ରମ । ତାଙ୍କ ଘର ମୟୁରଭଞ୍ଜ ଜିଲା ଉଦଳା ଥାନା ରାଇଦଣ୍ଡିଆ ଟିଲାବଣି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ବ୍ରିଜ ଉପରୁ ମିଳିଥିବା ଏକ ବ୍ୟାଗ ଯାଚ କରିବା ପରେ ପୁଲିସ ମୃତକଙ୍କ ପରିଚୟ ପାଇଥିବା ସୂଚନା ଦେଇଛି ।
ପୁଲିସଠାରୁ ଖବର ପାଇ ପରିବାର ଲୋକେ କଟକ ବଡ଼ ମେଡ଼ିକାଲରେ ପହଂଚିଥିଲେ । ସେମାନଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯିବା ପରେ ପୁଲିସ ମୃତଦେହକୁ ହସ୍ତାନ୍ତର କରିଛି । ପାଣିରେ ବୁଡ଼ି ରହିଥିବା ମୃତଦେହରେ କୌଣସି କ୍ଷତ ଚିହ୍ନ ନଥିବାରୁ ସେ ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିଥିବା ଉପରେ ପୁଲିସର ସନେ୍ଦହ ବଢ଼ିଛି ।
ତେବେ ପୁଲିସ ସ୍ଥାନୀୟ ଅଂଚଳର ସିସିଟିଭି ଫୁଟେଜ ଯାଂଚ କରୁଛି । ଛାତ୍ରୀଜଣକ ସୁଭାଷ ବି୍ରଜ ନିକଟକୁ କିପରି ଓ କାହା ସଙ୍ଗରେ ଆସିଥିଲେ ତାହା ନେଇ ଅନୁସନ୍ଧାନ ଜାରି ରଖିଛି । ସୂଚନାଯୋଗ୍ୟ ସକାଳେ କିଛି ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ତୁରନ୍ତ ବାରଙ୍ଗ ଥାନାକୁ ଜଣାଇବାଦ୍ୱାରା ପୁଲିସ ଆସି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।
ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ନେଇ ପୁଲିସ ଅନୁସନ୍ଧାନ ଚଳାଇଛି ।