ଦିଲ୍ଲୀରେ ‘ସିଜେପି’ର ବିରୋଧ
ଦିଲ୍ଲୀରେ ଯନ୍ତରମନ୍ତରଠାରେ ‘ସିଜେପି’ (କକ୍ରୋଚ ଜନତା ପାର୍ଟି)ର ପ୍ରତିବାଦ ସଭା ହୋଇଥିଲା ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଏହି ଆନେ୍ଦାଳନ ଚାଲିଥିଲା । ଯନ୍ତରମନ୍ତରରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରି ସିଜେପି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ପ୍ରଦାନ ପାଇଁ ଦାବି କରିଥିଲା ।
ପୁଲିସର ହାଇ-ଆଲର୍ଟ ଘୋଷଣା, ଦେଶର ଶିକ୍ଷା ବ୍ୟବସ୍ଥାରେ ଚାଲିଥିବା ଅନିୟମିତତା ଓ ପେପର ଲିକ ଦୁର୍ନୀତି ବିରୋଧରେ ବଡ଼ ଧରଣର ଗଣ ଆନେ୍ଦାଳନ ସଂଗଠିତ ହୋଇଥିଲା । ଯୁବଗୋଷ୍ଠୀଙ୍କଦ୍ୱାରା ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ଏହି ସଂଗଠନର ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ରଣହୁଂକାର ଦେଇଥିବା ଦେଖିବାକୁ ମିଳିଛି ।
ହଜାର ହଜାର ଯୁବକ ଯୁବତୀ ଏହି ଭିକ୍ଷୋରେ ସାମିଲ ହେବା ସହ ଦେଶରେ ଭୁଶୁଡ଼ି ପଡ଼ିଥିବା ଶିକ୍ଷା ବ୍ୟବସ୍ଥା ପାଇଁ ସିଧାସଳଖ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିଛନ୍ତି । ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ ନିଜେ ଜୟ ଭୀମ ନାରା ଦେଇ ଯନ୍ତରମନ୍ତରରେ ଗର୍ଜନ କରିଥିବା ପରିଲକ୍ଷିତ ହୋଇଛି । ସେ କହିଥିଲେ ଦେଶର ଯୁବଗୋଷ୍ଠୀଙ୍କୁ ଭୟଭୀତ ହେବାର ଅବକାଶ ନାହିଁ ।
ଚାଲିଥିବା ଅରାଜକତାର ପୂର୍ଣ୍ଣ ବିରୋଧ କରାଯିବ । ଫେସବୁକ, ଇନଷ୍ଟାଗ୍ରାମରେ ୨କୋଟିରୁ ଅଧିକ ସମର୍ଥକ ଥିବା ଏହି ସଂଗଠନ ଆଜି ପ୍ରମାଣ କରିବ ଯେ ସେମାନଙ୍କ ଅନ ଲାଇନ ଶକ୍ତି ବାସ୍ତବ ଦୁନିଆରେ କେତେ ପ୍ରଭାବଶାଳୀ । ଦେଶର ଭବିଷ୍ୟତ ପିଢ଼ିଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ଇସ୍ତଫା ଦେବାକୁ ପଡ଼ିବ ବୋଲି ଅଭିଜିତ କହିଥିଲେ ।
ଦଳ ପକ୍ଷରୁ କୁହାଯାଇଥିଲା ଯେ ‘ଆମ୍ଭେ ଶିକ୍ଷା ମନ୍ତ୍ରୀଙ୍କୁ ନିର୍ବାଚିତ କରିଥିଲୁ ଓ ତାଙ୍କୁ ସେଠାକୁ ପଠାଇଥିଲୁ । ସେ ଆମ ଟିକସରେ ଦରମା ପାଉଛନ୍ତି । ତାଙ୍କ କାର୍ଯ୍ୟକାଳ ସମୟରେ ଲକ୍ଷାଧିକ ଯୁବଗୋଷ୍ଠୀଙ୍କ ଭାଗ୍ୟ ଅନ୍ଧକାର ମଧ୍ୟକୁ ଚାଲି ଯାଇଛି ।
ଏବେ କକ୍ରୋଚମାନେ ଆସୁଛନ୍ତି, ତେଣୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯିବାକୁ ବାଧ୍ୟ । ଶନିବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ସିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯଦି ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦିଅନ୍ତି, ତେବେ ସଂଗଠନ ପୁଣି ରାଜରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦିଆଯାଇଛି ।
ଆସନ୍ତା ୨୩ତାରିଖରେ ସିଜେପି ଦିଲ୍ଲୀର ରାମଲୀଳା ମୈଦାନରେ ବିକ୍ଷୋଭ ସମାବେଶ କରିବ ବୋଲି କୁହାଯାଇଛି ।