ବର୍ଷକୁ ୧୦ଦିନ ବିନା ବ୍ୟାଗରେ ସ୍କୁଲ ଆସିବେ ପିଲା
ଓଡ଼ିଶା ସରକାର ସ୍କୁଲ ସ୍ତରରେ ଜାତୀୟ ଶିକ୍ଷା ନୀତି (ଏନଇପି-୨୦୨୦) କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।
ଏହି ନୀତି ଅନୁଯାୟୀ ରାଜ୍ୟରେ ଏକ ନୂତନ ପାଠ୍ୟକ୍ରମ ରୂପରେଖ ଆରମ୍ଭ ହୋଇଥିବାବେଳେ ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି (ଓଏସଇପିଏ) ପକ୍ଷରୁ ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି ।
ଆସନ୍ତା ୨୦୨୬-୨୭ ଶିକ୍ଷାବର୍ଷରୁ ଶିଶୁ ବାଟିକା (ପ୍ରି-ସ୍କୁଲ)ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ନୂଆ ସମୟ ସାରଣୀ ଲାଗୁ ହେବ ।
ନୂତନ ସଂସ୍କାର ଅନୁଯାୟୀ ସ୍କୁଲରେ ବର୍ଷକୁ ୧୦ଟି ବ୍ୟାଗ ବିହୀନ ଦିବସ ବା ନୋ-ବ୍ୟାଗ ଡେ ରହିବ । ଏହି ଦିନଗୁଡ଼ିକରେ ଛାତ୍ରଛାତ୍ରୀମାନେ ବିନା ବ୍ୟାଗରେ ସ୍କୁଲ ଯିବେ । ପିଲାଙ୍କ ଉପରୁ ବହିବସ୍ତାନି ବୋଝ କମାଇବା ଏବଂ ଶିକ୍ଷାଦାନକୁ ଅଧିକ ଆନନ୍ଦଦାୟକ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ପଦକ୍ଷେପ ହାତକୁ ନେଇଛି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର ଧନ୍ଦାମୂଳକ ଶିକ୍ଷା ଅଧିନରେ ବ୍ୟାଗ ବିହୀନ କାର୍ଯ୍ୟକଳାପ କରାଯିବ ।
ନୂତନ ନିୟମ ଅନୁଯାୟୀ, ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବିଦ୍ୟାଳୟର ସମୟ ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରହିବ । ସେହିପରି ଶନିବାର ସ୍କୁଲ ସକାଳ ସାଢ଼େ ୬ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ । ଶିକ୍ଷାବର୍ଷର ମୋଟ ୨୩୦ କାର୍ଯ୍ୟଦିବସ ମଧ୍ୟରୁ ୨୦ଦିନ ପରୀକ୍ଷା ଓ ମୂଲ୍ୟାୟନ ପାଇଁ ଏବଂ ଅନ୍ୟ ୨୦ଦିନ ବାର୍ଷିକ ଉତ୍ସବ, କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସଂରକ୍ଷିତ ରହିବ । ବାକି ୧୯୦ଦିନ କେବଳ ପାଠପଢ଼ା ପାଇଁ ଉଦ୍ଦିଷ୍ଟ ରହିବ ।
ପ୍ରତି କାର୍ଯ୍ୟଦିବସରେ ୭ଟି ପିରିୟଡ ରହିବ, ଯାହା ସପ୍ତାହକୁ ମୋଟ ୪୨ଟି ପିରିୟଡ ହେବ । ଗଣିତ, ବିଜ୍ଞାନ, କଳା, ଶାରୀରିକ ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷା ଭଳି ମୂଳ ବିଷୟଗୁଡ଼ିକ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି । ପ୍ରୋଜେକ୍ଟ ୱାର୍କ, ବିଜ୍ଞାନ ପରୀକ୍ଷଣ ଏବଂ ପ୍ରାକ୍ଟିକାଲ ପାଇଁ ୮୦ରୁ ୯୦ ମିନିଟ ଦୁଇଟି ମିଳିତ ପିିରିୟଡ଼ ରଖାଯାଇଛି । ସବୁ ଜିଲା ଶିକ୍ଷା ଅଧିକାର (ଡିଇଓ)ଙ୍କୁ ଏହି ସମୟ ସାରଣୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିର୍ଦେଶ ହୋଇଛି ।
ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ଏକ ଦକ୍ଷତା ଭିତିକ ତଥା ସାମଗ୍ରିକ ଶିକ୍ଷା ବ୍ୟବସ୍ତାର ବିକାଶ ହେବ ବୋଲି ଆଶା କରାଯାଉଛି ।