ତୃଣମୂଳ ପାର୍ଟି ଅଫିସରେ ସିଆଇଡି
ମଙ୍ଗଳବାର ଅପରାହ୍ନରେ ପୁଣି ପଶ୍ଚିମବଙ୍ଗ ରାଜନୀତିରେ ନୂଆ କୋଳାହଳ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି । ଜଣାପଡ଼ିଛି ଯେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ଘର ନିକଟ ପାର୍ଟି ଅଫିସରେ ସିଆଇଡିର ଏକ ଦଳ ପହଂଚିଛନ୍ତି । କେବଳ କାଳୀଘାଟ ନୁହେଁ, ଏକ ସଙ୍ଗରେ କ୍ୟାମାକ ଷ୍ଟ୍ରିଟସ୍ଥିତ ଅଭିଷେକ ବନେ୍ଦାପାଧ୍ୟାୟଙ୍କ ଦପ୍ତରରେ ମଧ୍ୟ ସିଆଇଡି ଦଳ ଚଢ଼ଉ କରିଛନ୍ତି ।
ସୂଚନାଯୋଗ୍ୟ ଯୋଗ୍ୟ ମଙ୍ଗଳବାର ଅପରାହ୍ନରେ କାଳୀଘାଟ ୩୦ବି ହରିଶ ଚାଟ୍ଟାର୍ଜୀ ଷ୍ଟ୍ରିଟସ୍ଥିତ ତୃଣମୂଳ କଂଗ୍ରେସ ପାର୍ଟି ଅଫିସରେ ତଲାସି ଚଳାଇବା ନିମିତ୍ତ ରାଜ୍ୟ ଗୁଇନ୍ଦା ଦପ୍ତରର ଅଧିକାରୀମାନେ ପହଂଚିଥିଲେ । ଜଣାପଡ଼ିଛି ଯେ ବିଧାନସଭାର ଦସ୍ତଖତ ଜାଲିଆତି ଘଟଣାର ତଦନ୍ତ ସ୍ୱାର୍ଥରେ ସିଆଇଡି ଅଧିକାରୀମାନେ ପାର୍ଟି ଅଫିସରେ ତଲାସି ଚଳାଇବାକୁ ଚାହାଁନ୍ତି । କିନ୍ତୁ ଅଭିଯୋଗ ଯେ ସେଠାରେ ଉପସ୍ଥିତ ତୃଣମୂଳ କଂଗ୍ରେସର କେତେକ କର୍ମୀ ପ୍ରଥମେ ସେହି ଦପ୍ତରରେ ପ୍ରବେଶ କରିବାକୁ ବାଧା ଦେଇଥିଲେ । କିନ୍ତୁ ଶେଷରେ ସିଆଇଡି ଅଧିକାରୀମାନେ ଦପ୍ତର ଭିତରକୁ ପ୍ରବେଶ କରିଥିଲେ ।
ଅପରପକ୍ଷରେ ଅଭିଷେକ ବନେ୍ଦାପାଧ୍ୟାୟଙ୍କ ଦପ୍ତରରେ ମଧ୍ୟ ସମପ୍ରକାର ଅସହଯୋଗିତା ସିଆଇଡି ଅଧିକାରୀମାନେ ପାଇଥିଲେ । ଉଲ୍ଲେଖଯୋଗ୍ୟ ଯେ ସଂପ୍ରତି ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଓ ସାଂସଦ ଅଭିଷେକ ବାନାର୍ଜୀ ଦିଲ୍ଲୀରେ ଅଛନ୍ତି ।
ଆହୁରି ଜଣାପଡ଼ିଛି ଯେ ତଲାସି ପାଇଁ ସର୍ଚ ୱାରେଂଟ ନେଇ ମଙ୍ଗଳବାର ଅପରାହ୍ନରେ ସିଆଇଡିର ଏକ ବିଶାଳ ଦଳ କାଳୀଘାଟ ପହଂଚିଥିଲେ । ସାଙ୍ଗରେ କେନ୍ଦ୍ରୀୟ ବାହିନୀ ମଧ୍ୟ ଥିଲା । କିନ୍ତୁ ସେମାନେ ତୃଣମୂଳ ପାର୍ଟି ଅଫିସରେ ପ୍ରବେଶ କରିବା ପୂର୍ବରୁ ବାଧାର ସମ୍ମୁଖୀନ ହୋଇଥିଲେ । ପ୍ରାକ୍ତନ ତୃଣମୂଳ ସାଂସଦ ଶୁଭାଶିଷ ଚକ୍ରବର୍ତୀ ସେମାନଙ୍କୁ ବାଧା ଦେଇଥିଲେ । ତେବେ କିଛି ସମୟ ବାଦାନୁବାଦ ପରେ ପ୍ରାକ୍ତନ ତୃଣମୂଳ କଂଗ୍ରେସ ସାଂସଦ କହିଥିଲେ ଯେ ‘ଆମ୍ଭମାନଙ୍କୁ କିଛି ସମୟ ଦିଅନ୍ତୁ’, ସେତେବେଳେ ସିଆଇଡି ଅଧିକାରୀମାନେ କହିଥିଲେ ଯେ ପୂର୍ବରୁ ନୋଟିସ ପଠାଯାଇଥିଲା ଏବଂ ପ୍ରୟୋଜନୀୟ ଅନୁମତି ମଧ୍ୟ ରହିଛି । ତେଣୁ ଆମ୍ଭମାନଙ୍କୁ ପ୍ରବେଶ କରିବାକୁ ଦିଅନ୍ତୁ ।
ପରେ ସିଆଇଡି ଅଧିକାରୀମାନେ ପ୍ରବେଶ କରି ତଲାସି ଚଳାଇଥିବା ଜଣାପଡ଼ିଛି । ସମଗ୍ର ପ୍ରକ୍ରିୟାକୁ ଭିଡ଼ିଓଗ୍ରାଫି କରାଯାଇଛି ବୋଲି ଜଣାପଡ଼ିଛି ।
ଅନ୍ୟପକ୍ଷରେ କ୍ୟାମାକଷ୍ଟ୍ରିଟରେ ଅଭିଷେକ ବନେ୍ଦାପାଧ୍ୟାୟଙ୍କ ଦପ୍ତରରେ ମଧ୍ୟ ସିଆଇଡି ଅଧିକାରୀମାନେ ଯାଇଥିଲେ । କିନ୍ତୁ ସେଠାରେ ଅଫିସର କେତେକ କର୍ମଚାରୀ ଅସହଯୋଗ କରିଥିଲେ ବୋଲି କୁହାଯାଇଛି । କିନ୍ତୁ ପରେ ସିଆଇଡି ଅଧିକାରୀମାନେ ଦପ୍ତର ମଧ୍ୟକୁ ପ୍ରବେଶ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।