ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ ମ୍ୟାଚ
ଗିଲଙ୍କ ଲଢ଼ୁଆ ବ୍ୟାଟିଂ, ୭ ୱିକେଟରେ ଭାରତ ବିଜୟୀ
ଗତ ଶନିବାର ହିମାଚଳପ୍ରଦେଶର ଧର୍ମଶାଳା ଠାରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ଦିନିଆ ଅନ୍ତର୍ଜାତୀୟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯାଇଥିଲା ।
ଏଥିରେ ଭାରତୀୟ ଦଳ ମୂଳରୁହଁ ଆଧିପତ୍ୟତା ବିସ୍ତାର କରି ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି ।
ଭାରତ ଟସ ଜିତି ପ୍ରଥମେ ଆଫଗାନିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ।
ଆଫଗାନିସ୍ତାନ ପକ୍ଷରୁ ରେହମୁଲ୍ଲା ଗୁରୁବାଜ ଓ ଇବ୍ରାହିମ ଜାର୍ଦାନ ଓପନିଂ କରିବାକୁ ଓହ୍ଲାଇଥିଲେ ।
ଜାର୍ଦାନ ମାତ୍ର ୧ ରନ କରି ଦିନିକିଆ ମ୍ୟାଚରେ ପଦାର୍ପଣ କରିଥିବା ଦ୍ରୁତ ବୋଲର ଗୁରୁନୁର ବ୍ରାରଙ୍କ ବୋଲିଂରେ ଅଧିନାୟକ ଶୁଭମନ ଗିଲଙ୍କ ଦ୍ୱାରା କ୍ୟାଚଆଉଟ ହୋଇଥିଲେ ।
ଏହାପରେ ଅର୍ଶଦୀପ ସିଂହଙ୍କ ବୋଲିଂରେ ସେଦିକୁଲ୍ଲା ଅଟଲ ଓ ରେହମତ ଶାହା ଯଥାକ୍ରମେ ୦ ଓ ୩ ରନ କରି ଆଉଟ ହୋଇଥିଲେ ।
ତେବେ ଏହି ସମୟରେ ଅଧିନାୟକ ହସମତୁଲ୍ଲା ସାହିଦି ଗୋଟିଏ ପଟେ ଧୈର୍ଯ୍ୟର ସହ ଖେଳି ୨୭ ରନ କରି ନୂତନ ଭାବେ ପଦାର୍ପଣ କରିଥିବା ବୋଲିଂ ଅଲରାଉଣ୍ଡଣ ହର୍ଷ ଦୁବେଙ୍କ ଦ୍ୱାରା ଆଉଟ ହୋଇଥବାବେଳେ ଅଜମତୁଲ୍ଲା ଓମରଜାଇ ୨୬ ରନ କରି ହର୍ଷଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।
ତେବେ ଭାରତୀୟ ବୋଲରଙ୍କ ସମ୍ମୁଖରେ ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ୁଥିବାବେଳେ ଗୋଟିଏ ପଟେ ନଟଆଉଟ ଥିବା ଗୁରୁବାଜ ଭାରତୀୟ ବୋଲରଙ୍କୁ ନିମର୍ମ ପ୍ରହାର କରିଚାଲିଥିଲେ ।
ସେ ୫୧ଟି ବଲ ଖେଳି ୮ଟି ଛକା ଓ ୮ଟି ଚୌକା ବଳରେ ସର୍ବାଧିକ ୧୦୨ ରନ କରି ନିତୀଶ ରେଡ୍ଡୀଙ୍କ ଦ୍ୱାରା ବୋଲ୍ଡ ଆଉଟ ହୋଇଥିଲେ ।
ଫଳରେ ବର୍ଷା ଯୋଗୁଁ ୨୫ ଓଭର ବିଶିଷ୍ଟ ଏହି ମ୍ୟାଚରେ ଆଫଗାନିସ୍ତାନ ଦଳ ମାତ୍ର ୧୯୪ ରନ କରିପାରିଥିଲା ।
ଭାରତୀୟ ଦଳ ପକ୍ଷରୁ ନବାଗତ ଗୁରୁନୁର ବ୍ରାର ୩ଟି ଓ ହର୍ଷ ଦୁବେ ୩ଟି ଲେଖାଏଁ ୱିକେଟ ନେଇଥିବାବେଳେ ଅର୍ଶଦୀପ ସିଂହ ଓ ବ୍ୟାଟିଂ ଅଲରାଉଣ୍ଡର ନୀତିଶ ରେଡ୍ଡୀ ୨ଟି ଲେଖାଏ ୱିକେଟ ନେଇଥିଲେ ।
ଅନ୍ୟପଟେ ବିଜୟ ପାଇଁ ୧୯୫ ରନର ପିଛା କରି ଭାରତୀୟ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିିଥିଲା । ହିଟମ୍ୟାନ ରୋହିତ ଶର୍ମା ମାତ୍ର ୧୬ ରନ କରି ରନଆଉଟ ହୋଇଥିଲେ । ପରେ ଅଧିନାୟକ ଶୁଭମନ ଗିଲ ଓ ଇଶାନ କିଷନ ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ ।
ଇଷାନ କିଶନ ୩୪ ରନ କରି ଆଉଟ ହୋଇଥିବାବେଳେ ଅଧିନାୟକ ଗିଲ ୬୬ଟି ବଲ୍ ଖେଳି ୨ଟି ଛକା ଓ ୧୧ଟି ଚୌକା ସହ ସର୍ବାଧିକ ୮୪ ରନ କରିଥିଲେ ।
ତାଙ୍କୁ ଅନ୍ୟପଟୁ କେ.ଏଲ.ରାହୁଲ ୩୯ ଓ ଉପଅଧିନାୟକ ଶ୍ରେୟର ଆୟାର ୧୨ ରନର ସହଯୋଗ କରିଥିଲେ ।
ଫଳରେ ଭାରତ ୨୨.୫ ଓଭରରେ ୩ ୱିକେଟ ହରାଇ ୧୯୫ ରନ କରି ବିଜୟୀ ହୋଇଛି ।
ଶୁଭମନ ଗିଲ ପ୍ଲେୟାର ଅଫ୍ ଦି ମ୍ୟାଚ ଘୋଷିତ ହୋଇଥିବାବେଳେ ଭାରତ ୧-୦ରେ ଆଗୁଆ ରହିଛି ।