ତଳମୁଣ୍ଡରେ ବଢ଼ୁଛି ମହାନଦୀ, ଆସୁଛି ବନ୍ୟା
ଲଗାଣ ବର୍ଷା ଯୋଗୁଁ ତଳମୁଣ୍ଡରେ ମହାନଦୀ ବଢ଼ୁଛି ।
ଫଳରେ ଏଥିରେ ମଧ୍ୟମ ଧରଣର ବନ୍ୟା ଆସିବା ଏକରକମ ସୁନିଶ୍ଚିତ ହୋଇସାରିଛି ।
ଏଥିସହ ଏହାର ଶାଖା ନଦୀ ଯଥା ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, ପାଇକା ଓ ଦେବୀ ନଦୀରେ ବନ୍ୟା ଆସିବ । ସେହିପରି କନ୍ଦଳ, କୁଶଭଦ୍ରା, ଭାର୍ଗବୀ ଓ ଦୟା ନଦୀରେ ମଧ୍ୟ ଜଳସ୍ତର ବଢ଼ିବ ।
ଏଥିଯୋଗୁଁ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲା ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି ।
ବିଶେଷ କରି ଜଗତସିଂହପୁରର ବାଲିକୁଦା, ଏରସମା, କୁଜଙ୍ଗ ଓ ତିର୍ତୋଲ ଆଦି ବ୍ଲକ ପ୍ରଭାବିତ ହେବ ।
ସେହିଭଳି କେନ୍ଦ୍ରାପଡ଼ା ଜିଲାର ପାଟକୁରା, ଗରଦପୁର ଓ ଆଳି ବ୍ଲକ ମଧ୍ୟ ପ୍ରଭାବିତ ହେବ ।
ଏତଦ୍ବ୍ୟତୀତ ବାଙ୍କୀ ଓ ଆଠଗଡ଼ ମଧ୍ୟ ମହାନଦୀରେ ବନ୍ୟା ପାଇଁ ପ୍ରଭାବିତ ହେଉଛି ।
ପୁରୀରେ କଣାସ, ଡେଲାଙ୍ଗ, ବ୍ରହ୍ମଗିରି, ନିମାପଡ଼ା, ଅସ୍ତରଙ୍ଗ ଓ ଗୋପ ଆଦି ବ୍ଲକ ବିଶେଷ ଭାବେ ପ୍ରଭାବିତ ହେବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି ।








