ଓଡ଼ିଶାର ୧୫ ଜିଲା ବନ୍ୟାରେ ପ୍ରଭାବିତ
ଚଳିତ ବର୍ଷର ପ୍ରଥମ ବନ୍ୟାରେ କରାଳ ରୂପ ଧାରଣ କରିଛି ମହାନଦୀ ।
ମହାନଦୀ ଫୁଲିବା ସହିତ ଏହାର ସମସ୍ତ ଶାଖାନଦୀଗୁଡ଼ିକ ମଧ୍ୟ ଫୁଲିବାରେ ଲାଗିଛନ୍ତି ।
ଫଳତଃ ଏହି ବନ୍ୟାରେ ରାଜ୍ୟର ୧୫ଟି ଜିଲା ପ୍ରଭାବିତ ହୋଇଛନ୍ତି ।
କଟକ ଜିଲାର ବାଙ୍କୀ ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଛି । ବାଙ୍କୀ ବ୍ଲକର ଓସ୍ତପୁର ପଂଚାୟତରେ ପାଣି ପଶିସାରିଛି । ସେହିପରି ଆଠଗଡ଼, ତିଗିରିଆରେ ମଧ୍ୟ ବନ୍ୟାପାଣି ପଶି ଏକର ଏକର ଜମିରେ ଲହରୀ ମାରୁଛି ।
ମହାନଦୀରେ ପ୍ରବଳ ବନ୍ୟା ଆସିବାରୁ ରାଜ୍ୟର ବିିଭିନ୍ନ ଜିଲାରେ ଏହା ବିପଦ ସଂକେତକୁ ଟପିବା ଆରମ୍ଭ କରିଦେଇଛି ।
ବୌଦ୍ଧ ଜିଲାରେ ମହାନଦୀର ଜଳସ୍ତର ୮୬.୮୮ ମିଟର ରହିଥିବାବେଳେ ନରାଜରେ ୨୪.୪୯ ମିଟର, କିଶନନଗରରେ ୧୫.୦୬ ମିଟର, କାଠଯୋଡ଼ି ରୋଡ ବି୍ରଜରେ ୨୦.୩୪ ମିଟର, ବାଳକାଟିରେ ୧୫.୩୬ ମିଟର, ବଳଙ୍ଗାରେ ଭାର୍ଗବୀ ନଦୀର ଜଳସ୍ତର ୧୧.୨୮ ମିଟର ରହିଛି ।
ଅନ୍ୟପଟେ ରାଜ୍ୟରେ ଏଭଳି ଭୟଙ୍କର ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଜରୁରୀକାଳୀନ ବୈଠକ ଡାକିଛନ୍ତି ।
ଉକ୍ତ ବୈଠକରେ ବନ୍ୟା ପ୍ରଭାବିତ ୧୫ଟି ଜିଲାର ଜିଲାପାଳ, ଏସଆରସି ଏବଂ ଓଡ୍ରାଫ ଅଧିକାରୀଙ୍କ ସହିତ କିଭଳି ଭାବେ ବନ୍ୟାରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଥଇଥାନ କରାଯିବ ଏବଂ ସେମାନଙ୍କ ନିକଟରେ ଆବଶ୍ୟକ ଜରୁରୀକାଳୀନ ସାହାଯ୍ୟ ପହଂଚାଯାଇପାରିବ ସେ ବିଷୟରେ ବିସ୍ତୁୃତ ଆଲୋଚନା କରିଛନ୍ତି ।
ଏହି ସମସ୍ତ ଜିଲାର ସରକାରୀ ଅଧିକାରୀମାନଙ୍କ ଛୁଟିକୁ ବାତିଲ କରାଯାଇ ସେମାନଙ୍କୁ ମଧ୍ୟ ସାହାଯ୍ୟ ଅଭିଯାନରେ ସାମିଲ ହେବାକୁ ସଜାଗ ରହିବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦେଶ ଦେଇଛନ୍ତି ।








