ଖୁବ ଶୀଘ୍ର ରେଭେନ୍ସା ବିଶ୍ୱବିଦ୍ୟାଳୟ ବିବାଦ ସମାଧାନ
ସବୁ ଅଧ୍ୟାପକ କାର୍ଯ୍ୟରେ ଯୋଗ ଦେଉଛନ୍ତି : ଭିସି
ରାଜ୍ୟର ତଥା ଦେଶର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଗତ କିଛି ଦିନ ହେବ ଏଠାରେ ୱାର୍ଡେନ-ବିଧାୟକଙ୍କ କଳି ବିଭିନ୍ନ ଗଣମାଧ୍ୟମର ଶିରୋନାମା ପାଲଟିଛି ।
ଗୋଟିଏ ପଟେ ୱାର୍ଡେନ ସୁଦର୍ଶନ ମିଶ୍ର ଇସ୍ତଫା ଦିଅନ୍ତୁ ବୋଳି ବିଧାୟକ ପ୍ରକାଶ ସେଠୀ ଅଡ଼ି ବସିଥିବାବେଳେ ବାଚସ୍ପତିଙ୍କ ନିକଟକୁ ବିଧାୟକ ପଠାଇଥିବା ଅଭିଯୋଗପତ୍ର ପ୍ରତ୍ର୍ୟାହାର କରନ୍ତୁ ବୋଲି ବିଶ୍ୱବିଦ୍ୟାଳୟର ୱାର୍ଡେନ, ଅଧ୍ୟାପକ, ଅଧ୍ୟାପିକାମାନେ ଦାବି କରିଛନ୍ତି ।
ତେବେ ଖୁବ ଶିଘ୍ର ଏହି ବିବାଦର ଅନ୍ତ ଘଟିବ ବୋଲି ବିଶ୍ୱବିଦ୍ୟାଳୟ ଭିସି ଅର୍କ କୁମାର ଦାସ ସୂଚନା ଦେଇଛନ୍ତି ।
ଏଥିସହ ସମସ୍ତ ଅଧ୍ୟାପକ କାମରେ ଯୋଗ ଦେଇଥିବା ସେ କହିଛନ୍ତି । ବିଶ୍ୱବିଦ୍ୟାଳୟର କୌଣସି ହଷ୍ଟେଲରେ ବି କିଛି ସମସ୍ୟା ନାହିଁ ବୋଲି ସେ କହିଛନ୍ତି ।
ଭିସିଙ୍କ କାର୍ଯ୍ୟାଳୟରୁ ସବୁ କିଛି ମନିଟରିଂ କରାଯାଉଛି । ଗତ କାଲି ଗୁରୁବାର ବିଧାୟକଙ୍କ ସହ ଯୋଗଯୋଗ ପାଇଁ ଚେଷ୍ଟା କରାଯାଇଥିଲା ।
କିନ୍ତୁ ଏହା ସମ୍ଭବ ହୋଇପାରିନଥିଲା । ବିଧାୟକ ସିନେଟ ମେମ୍ବର ବୋଲି ସରକାରଙ୍କ ନିକଟରୁ ଚିଠି ଆସିଛି ବୋଲି ଭିସି ଶ୍ରୀ ଦାସ କହିଛନ୍ତି ।
ସୂଚନାଥାଉ କି, ବିଶ୍ୱିବିଦ୍ୟାଳୟର ହଷ୍ଟେଲରେ କିଛି ସମସ୍ୟା ଥିଲା । ଯାହାକୁ ନେଇ ହଷ୍ଟେଲ ଅନ୍ତେବାସୀମାନେ ଘୋର ଅସନ୍ତୋଷ ପ୍ରକଟ କରିବା ସହ ଭିସିଙ୍କ ନିକଟରେ ଅଭିଯୋଗ କରିଥିଲେ ।
ମାତ୍ର ଭିସି କୌଣସି ପଦକ୍ଷେନ ନ ନେବାରୁ ସେମାନେ ୱାର୍ଡେନଙ୍କ ଇସ୍ତଫା ଦାବିରେ ଧାରଣା ଦେଇଥିଲେ ।
ତାଙ୍କର ଏହି ଧାରଣାକୁ ସମର୍ଥନ କରି ବିଧାୟକ ଶ୍ରୀ ସେଠୀ ଗତ ବୁଧବାର ଧାରଣାସ୍ଥଳୀକୁ ଯାଇଥିଲେ ।
ସେଠାରେ ୱାର୍ଡେନ ଶ୍ରୀ ମିଶ୍ର ତାଙ୍କୁ ଦୁର୍ବ୍ୟବହାର ଦେଖାଇଥିବା ବିଧାୟକ ଶ୍ରୀ ସେଠୀ ଅଭିଯୋଗ ଆଣି ଏ ସଂକ୍ରାନ୍ତରେ ବାଚସ୍ପତିଙ୍କ ନିକଟକୁ ଏକ ଚିଠି ଲେଖିଥିଲେ ।
ଉକ୍ତ ଚିଠିରେ ସେ ୱାର୍ଡେନ ଶ୍ରୀ ମିଶ୍ର ଉଦେ୍ଦଶ୍ୟମୂଳକ ଭାବେ ହଷ୍ଟେଲ ପିଲାଙ୍କୁ ହଇରାଣ କରୁଛନ୍ତି ଓ ଏଥିପାଇଁ ତାଙ୍କୁ ପଦରୁ ହଟାଯାଉ ବୋଲି ଉଲ୍ଲେଖ କରିଥିଲେ ।
ଏହାକୁ ନେଇ ପରେ ୱାର୍ଡେନଙ୍କ ସମର୍ଥନରେ କିଛି ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବାହାରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।








