ଶୋଷରୁ ଶୌଚ ଯାଏଁ ପାଣି ଚିନ୍ତା
ରାଜ୍ୟର ଅଧାରୁ ଅଧିକ ଜିଲା ଏବେ ଜଳାର୍ଣ୍ଣବ । କାରଣ ଦୀର୍ଘ ଦିନ ଧରି ଅଧିକାଂଶ ଜିଲାରେ ଲଘୁଚାପଜନିତ ବର୍ଷା ଯୋଗୁଁ ପାଣି ନିଷ୍କାସିତ ହୋଇନପାରି ଘର ଦ୍ୱାରା ରାସ୍ତାଘାଟ ଚାରିଆଡ଼େ ବର୍ଷା ପାଣି ଜମି ରହିଛି । ତା’ସହିତ ତାଳ ଦେଇ ଉତର ଓ ପଶ୍ଚିମ ଓଡ଼ିଶା ସମେତ କେତେକ ଜିଲାରେ ବନ୍ୟା ପାଣିଘେରରେ ରହିଛନ୍ତି ସହସ୍ରାଧିକ ପରିବାର । ଚାରି ଆଡ଼େ ଖାଲି ପାଣି ଆଉ ପାଣି । ହେଲେ ପିଇବାକୁ ଟୋପେ ବିଶୁଦ୍ଧ ପାଣି ମିଳୁନି କିମ୍ବା ଶୌଚ ଯିବାକୁ ନିରାପଦ ସ୍ଥାନ ଦେଖାଯାଉନି । ଏପରିସ୍ଥଳେ ଶୋଷରୁ ଶୌଚ ଯାଏଁ ବନ୍ୟା ବିପନ୍ନଙ୍କୁ ଘାରିଛି ପାଣି ଚିନ୍ତା । କାରଣ ବନ୍ୟା ପ୍ରଭାବିତ ଅଂଚଳରେ ପ୍ରଦୂଷିତ ହୋଇସାରିଛି ଜଳ ।
ଏପରିସ୍ଥଳେ କେନ୍ଦ୍ରାପଡ଼ାର ଆଳି ଓ ଭଦ୍ରକର ଚାନ୍ଦବାଲି ସ୍ଥିତି ସଂଗୀନ ରହିଛି । ଲୋକଙ୍କ ଘରଦୁଆର ବନ୍ୟା ଜଳରେ ଉବୁଟୁବୁ ହେଉଛି । ପ୍ରାଣ ବିକଳରେ ଲୋକେ ନିଜର ସମସ୍ତ ଆସବାବପତ୍ରକୁ ଛାଡ଼ି ନିରାପଦ ସ୍ଥାନକୁ ଚାଲିଯାଇଥିଲେ । ଭାବିଥିଲେ ବନ୍ୟାଜଳ କମିଲେ ପୁଣି ଆସି ଘର ସଜାଡ଼ିବେ । ହେଲେ ନା ଥମୁଛି ଲଘୁଚାପଜନିତ ବର୍ଷା ନା ଛାଡ଼ୁଛି ବନ୍ୟା ଜଳ । ତେଣେ ପିଇବାକୁ ଟୋପେ ସ୍ୱଚ୍ଛ ବିଶୁଦ୍ଧ ପାଣି ମିଳୁନଥିବାବେଳେ ଚାରିଆଡ଼େ ଜଳାର୍ଣ୍ଣବ ହୋଇଥିବାରୁ ଶୌଚ ପାଇଁ ଲୋକେ ହଟହଟା ହେଉଛନ୍ତି ।
ଲୋକେ ଟୋପେ ପିଇବା ପାଣି ପାଇଁ ସେହି ବନ୍ୟାଜଳକୁ କୌଣସି ପାତ୍ରରେ ଘରକୁ ଆଣି ଫୁଟାଇ ଛାଣି ପିଉଛନ୍ତି । ଏହାଦ୍ୱାରା ସମ୍ପୃକ୍ତ ବନ୍ୟା ପ୍ରଭାବିତ ଅଂଚଳରେ ଆଗକୁ ମହାମାରୀ ଓ ଅନ୍ୟାନ୍ୟ ପାଣିଜନିତ ରୋଗ ହେବାର ଆଶଙ୍କା ଉପୁଜିଛି ବୋଲି ଆଳି ଓ ଚାନ୍ଦବାଲିର ବନ୍ୟା ପ୍ରଭାବିତ ଅଂଚଳବାସୀ ଉଦବେଗ ପ୍ରକାଶ କରିଛନ୍ତି ।








