ଜିଲା ଅଦାଲତରେ ବି ଜଜ୍ ଅଭାବ
ବର୍ତମାନ ଦେଶ ତଥା ରାଜ୍ୟରେ ଥିବା ବିଭିନ୍ନ ହାଇକୋର୍ଟରେ ଜଜମାନଙ୍କ ଅଭାବ ପରିଲକ୍ଷିତ ହୋଇଛି । ଯେଉଁଥିପାଇଁ ଦେଶରେ ବର୍ତମାନ ୫୫ ଲକ୍ଷରୁ ଅଧିକ କେସର ଶୁଣାଣି ହୋଇପାରି ନାହିଁ । ଏପରିସ୍ଥଳେ ଆଉ ଏକ ସମସ୍ୟା ଉପୁଜିଛି । ଏବେ ଜିଲା ଅଦାଲତରେ ମଧ୍ୟ ସମ ଅବସ୍ଥା ପରିଲକ୍ଷିତ ହୋଇଛି ।
ଫଳରେ ବିଭିନ୍ନ ଜିଲା ଅଦାଲତରେ ଲକ୍ଷାଧିକ ମାମଲା ବିଚାର ପାଇଁ ପଡ଼ି ରହିଛି । ଏହାର ଜ୍ୱଳନ୍ତ ଉଦାହରଣ କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ଅଦାଲତ ଓ ବରଗଡ଼ସ୍ଥିତ ଜିଲା ଅଦାଲତରେ ଦେଖିବାକୁ ମିଳିଛି । ଜଜଙ୍କ ଅଭାବ ଯୋଗୁଁ ଏଠାରେ ତାରିଖ ପରେ ତାରିଖ ବଦଳୁଛି; ହେଲେ ସହସ୍ରାଧିକ ମାମଲାର ଶୁଣାଣି ହୋଇପାରିବାରୁ ଆବେଦନକାରୀମାନେ ହତାଶ ହେଉଛନ୍ତି ।
ଅନ୍ୟପଟେ ଏକ ବର୍ତମାନ ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୭୨ ହଜାର ମାମଲା ଗଡ଼ୁଛି । କାରଣ ଏବେ ଓଡ଼ିଶା ହାଇକୋର୍ଟରେ ଏତେ ଗୁଡ଼ିଏ ମାମଲା ପାଇଁ ମାତ୍ର ୧୬ ଜଣ ବିଚାରପତି ଅଛନ୍ତି । ଏଣୁ ଦେଖିବାକୁ ଗଲେ ପ୍ରତି ୧୦ ହଜାର ମାମଲା ପାଇଁ ମାତ୍ର ଜଣେ ବିଚାରପତି ରହିଛନ୍ତି ।
ସୂଚନାଥାଉ କି, ଓଡ଼ିଶା ହାଇକୋର୍ଟରେ ଅନୁମୋଦିତ ବିଚାରପତିଙ୍କ ପଦବୀ ସଂଖ୍ୟା ୩୩ ଥିବାବେଳେ ବର୍ତମାନ ଏଠାରେ ମାତ୍ର ୧୬ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି । ଏଥିମଧ୍ୟରୁ ୨ ଜଣ ବିଚାରପତିଙ୍କ ବଦଳି ପାଇଁ ସୁପି୍ରମକୋର୍ଟ କଲେଜିୟମ ସୁପାରିଶ କରିସାରିଛି । ଆଉ ୨ ଜଣ ବିଚାରପତିଙ୍କ କାର୍ଯ୍ୟାଳୟ ଆସନ୍ତା ନଭେମ୍ବର ମାସରେ ଶେଷ ହେଉଛି ।
ଏହା ଭିତରେ ଯଦି କୌଣସି ନୂଆ ବିଚାରପତି ନଆସନ୍ତି ତା’ହେଲେ ସଂଖ୍ୟା ୫୦ ପ୍ରତିଶତରୁ କମ ରହିବ । ଏପରିସ୍ଥଳେ ପୁରୁଣା ପଡ଼ି ରହିଥିବା ଲକ୍ଷାଧିକ ମାମଲାର ଶୁଣାଣି କିଭଳି ହେବ ତାହା ଚିନ୍ତାର ବିଷୟ ପାଲଟିଛି ।








