କୁକୁଡ଼ା ଦେଲେ କୋକେଇ ଉଠିବ
ଆରେ ବାବୁ କୁକୁଡ଼ା ଦେଲେ କୋକେଇ ଉଠିବ, ନହେଲେ ନାହିଁ । ଏହା କୌଣସି ଏକ ନାଟକର ସଂଳାପ ନୁହେଁ, ବରଂ ଏକବିଂଶ ଶତାବ୍ଦୀର ସଭ୍ୟ ସମାଜର ଏକ ନିଚ୍ଛକ ସତର ଦୃଶ୍ୟପଟ ।
ଆଜି ବି ଦୁର୍ଗମ ଅଂଚଳର ଗାଁଗଣ୍ଡାରେ ବଂଚିଛି ଏଭଳି କିଛି କୁତ୍ସିତ ପରମ୍ପରା ।
ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ନୁଆମାଳିଆ ଗାଁରେ ଦେଖିବାକୁ ମିଳିଛି । ଏଠାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବାବେଳେ କୁକୁଡ଼ା ନ ଦେବାରୁ ୨ ଦିନ ହେଲା ପଡ଼ିରହିଛି ମୃତଦେହ ।
ଚାନ୍ଦୁଆ ଥାନା ଅନ୍ତର୍ଗତ ଏହି ଅଂଚଳରେ ଆଦିବାସୀ ପରମ୍ପରାକୁ ନେଇ ଲାଗିରହିଛି କେଁ । ଯଦି ମୃତକଙ୍କ ପରିବାର ବା ଆତ୍ମୀୟ ସ୍ୱଜନ କୁକୁଡ଼ା ନ ଦିଅନ୍ତି ତା’ହେଲେ ମୃତଦେହ ପଡ଼ି ମଢ଼ା ହୋଇଗଲେ ବି କେହି କାନ୍ଧ ଦେବେନି ।
ତେଣେ ମୃତକାଙ୍କ ପରିବାରବର୍ଗ ୩ଟି କୁକୁଡ଼ା ଦେଇସାରିଥିଲେ ମଧ୍ୟ ସେଠାରେ ଥିବା ଆଦିବାସୀମାନେ ମାନିବାକୁ ନାରାଜ ।
ଏପରିକି ଏଭଳି କୁସଂସ୍କାର ଆଗରେ ମାନବିକତା ମଧ୍ୟ ହାର୍ ମାନିଛି । ୨ ଦିନ ହେବ ବୃଦ୍ଧାଙ୍କ ମୃତଦେହ ପଡ଼ିଥିଲେ ବି ‘ଆଉ କୁକୁଡ଼ା ନ ଦେଲେ, କୋକେଇ ଉଠିବନି’ ବୋଲି ଜିଦ୍ରେ ବସିଛନ୍ତି ପଡ଼ୋଶୀ ଆଦିବାସୀ ।








