ଫାଇନାଲ୍ରେ ଭାରତ, ନ୍ୟୁଜିଲାଣ୍ଡ ଛାନିଆ
ଜନବାଦ, ୬ ।୩ : ପ୍ରାୟ ମାସକ ତଳେ ଗତ ଫେବୃଆରୀ ୭ ତାରିଖରେ ଭାରତ ଓ ଶ୍ରୀଲଙ୍କାରେ ଆରମ୍ଭ ହୋଇଥିଲା ପୁରୁଷ ଟି-୨୦ ୱାର୍ଲ୍ଡକପ୍ ଆରମ୍ଭ ହୋଇଥିଲା । ଏବେ ଏହା ନିର୍ଣ୍ଣାୟକ ମୋଡ଼ରେ ପହଂଚିସାରିଛି ।
ଏହି ଟୁର୍ଣ୍ଣାମେଂଟରେ ୮ଟି ଦଳ ଏ ଓ ବି ଗ୍ରୁପ୍ରେ ଭାଗ ନେଇଥିବାବେଳେ ଇତିମଧ୍ୟରେ ୨ଟି ସେମିଫାଇନାଲ୍ ମ୍ୟାଚ୍ ଖେଳାସରିଛି । ଗତ ୪ ତାରିଖରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡ ଚମକ୍ରାର ଖେଳ ପ୍ରଦର୍ଶନ କରି ଏହି ମ୍ୟାଚ୍କୁ ଏକତରଫା ଭାବେ ଜିତି ପ୍ରଥମ ଫାଇନାଲିଷ୍ଟ ଭାବେ ଉନ୍ନୀତ ହୋଇଥିଲା । ତେବେ ଏହି ମ୍ୟାଚ୍ ରେ ନ୍ୟୁଜିଲାଣ୍ଡ ପ୍ରଥମରୁ ହିଁ ପ୍ରାଧାନ୍ୟ ବିସ୍ତାର କରିଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୯ ରନ୍ କରିଥିଲା ।
ଜବାବରେ ନ୍ୟୁଜିଲାଣ୍ଡ ୧୨.୫ ଓଭ ଗୋଟିଏ ୱିକେଟ୍ ହରାଇ ୧୭୦ ରନ୍ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଫିନ୍ ଆଲେନ୍ ବିସ୍ଫୋରକ ବ୍ୟାଟିଂ କରି ୩୩ ବଲ୍ ଖେଳି ୮ଟି ଛକା ଓ ୧୦ଟି ଚୌକା ସହାୟତାରେ ଶତକ ମାରି ବିଜୟର କର୍ଣ୍ଣଧାର ସାଜିଥିଲେ ।
ଅନ୍ୟପଟେ ଗତ ଗୁରୁବାର ୫ ତାରିଖରେ ମୁମ୍ବାଇର ୱାଙ୍ଖଡ଼େରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ବେଶ୍ ରୋଚକ ହୋଇଥିଲା । ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆହ୍ୱାନ କରିଥିଲା ଇଂଲଣ୍ଡ । ଭାରତୀୟ ଦଳ ଧାର୍ଯ୍ୟ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୨୫୩ ରନ୍ କରିଥିଲା । ଦଳ ପକ୍ଷରୁ ଓପନର ସଂଜୁ ସାମସନ୍ ପୁଣି ଥରେ ବିସ୍ଫୋରକ ଇଂନିସ ଖେଳି ୪୨ଟି ବଲ୍ରୁ ୭ଟି ଛକା ଓ ୮ଟି ଚୌକା ସହାୟତାରେ ସର୍ବାଧିକ ୮୯ ରନ କରିଥିଲେ ।
ସେହିପରି ଅଲ୍ରାଉଣ୍ଡର ଶିବମ୍ ଦୁବେ ୪୩, ହାର୍ଦିକ ପାଣ୍ଡ୍ୟା ୨୭ ଏବଂ ତିଲକ ଭର୍ମା ୨୧ ରନ୍ ର ଉପାଦେୟ ଇଂନିସ ଖେଳିଥିଲେ । ଜବାବରେ ଇଂଲଣ୍ଡ ଦଳ ମଧ୍ୟ ଲଢ଼ୁଆ ଖେଳ ପ୍ରଦର୍ଶନ କରି ଧାର୍ଯ୍ୟ ୨୦ ଓଭରରେ ୭ ୱିକେଟ୍ ବିନିମୟରେ ୨୪୬ ରନ୍ କରି ପରାସ୍ତ ହୋଇଥିଲା । ଦଳ ପକ୍ଷରୁ ଜାକବ ବେଥେଲ୍ ଲଢ଼ୁଆ ଖେଳ ଜାର ରଖି ୪୮ ବଲ୍ରେ ୭ଟି ଛକା ଓ ୮ଟି ଚୌକା ଦ୍ୱାରା ୧୦୫ ରନ୍ କରିଥିଲେ ।
ସେହିପରି ୱିଲ୍ ଜ୍ୟାକ୍ସ ୩୫ ଓ ଜୋଶ୍ ବଟଲର ୨୫ ରନ୍ କରିଥେିଲ । ତେବେ ଶେଷ ୫ ଓଭରରେ ଭାରତୀୟ ଦଳ ଶାଣିତ ବୋଲିଂ ଓ ଉନ୍ନତ ଫିଲ୍ଡିୁଂ କରି ଏହି ମ୍ୟାଚ୍କୁ ୭ ରନ୍ ରେ ଦଳକୁ ଜିତାଇ ପାରିଥିଲେ । ଫଳରେ ଦ୍ୱିତୀୟ ସେମିଫାଇନାଲିଷ୍ଟ ଭାବେ ଭାରତ ଫାଇନାଲକୁ ପ୍ରବେଶ କରିଛି ।
ଆସନ୍ତା ରବିବାର ୮ ତାରିଖରେ ଅହମଦାବାଦର ମୋଦି ଷ୍ଟାଡିୟମ ରେ ଆୟୋଜକ ଭାରତ ଓ ନ୍ୟୁୂଜିଲାଣ୍ଡ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ତେଣେ ସେମିଫାଇନାଲ୍ ରେ ଭାରତର ଏଭଳି ଅଲ୍ରାଉଣ୍ଡ ପ୍ରଦର୍ଶନ ଦେଖି ନ୍ୟୁଜିଲାଣ୍ଡ ଦଳ ଏକରକମ ଛାନିଆ ହୋଇଯାଇଛି ।