୧୯ରୁ ମାଟ୍ରିକ୍ ଖାତାଦେଖା
୧୫ଦିନ ମଧ୍ୟରେ ଫଳ ଘୋଷଣା ପ୍ରସ୍ତୁତି
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତା ଦେଖା ୧୯ରୁ ଆରମ୍ଭ ହେବ ।
ରାଜ୍ୟର ୫୧ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୫ହଜାର ଶିକ୍ଷକ ଖାତା ଦେଖିବେ । ଏଥିପାଇଁ ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବୋର୍ଡ କର୍ତୃପକ୍ଷ ଚିଠି ଲେଖିଛନ୍ତି ।
ଏପ୍ରିଲ ୨ ସୁଦ୍ଧା ଅର୍ଥାତ୍ ୧୫ଦିନ ମଧ୍ୟରେ ଖାତାଦେଖା ଯେପରି ଶେଷ ହୁଏ ସେଥିପାଇଁ ବିଶେଷ ପ୍ରସ୍ତୁତି ଚାଲିଛି । ମୁଖ୍ୟ ପରୀକ୍ଷକ, ଉପ ମୁଖ୍ୟ ପରୀକ୍ଷକ, ସହକାରୀ ନିରୀକ୍ଷକଙ୍କ ସମେତ ନିୟୋଜିତ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ବୁଧବାର ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା କେନ୍ଦ୍ରରେ ପହଂଚିବାକୁ ନିର୍ଦେଶ ଦିଆଯାଇଛି ।
ମୂଲ୍ୟାୟନ ପୂର୍ବରୁ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟା ସୁଦ୍ଧା କେନ୍ଦ୍ରରେ ପହଂଚିବେ । କ୍ୟାମ୍ପ ଅଧିକାରୀ ଓ କର୍ମଚାରୀ ସକାଳ ସାଢ଼େ ୯ଟା ସୁଦ୍ଧା କେନ୍ଦ୍ରରେ ପହଂଚିବାକୁ କୁହାଯାଇଛି । ସେହିପରି ମୂଲ୍ୟାୟନ କେନ୍ଦ୍ରରେ ମୌଳିକା ସୁବିଧା ସହ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରିବାକୁ ବୋର୍ଡ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି ।
ଚଳିତବର୍ଷ ରାଜ୍ୟର ୫ଲକ୍ଷ ୬୨ହଜାର ୬୧୨ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ଭରିଥିଲେ । ଏଥିାପଇଁ ବୋର୍ଡ ଦ୍ୱାରା ୩,୦୮୨ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।
ଫେବୃଆରୀ ୧୯ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ ୨ରେ ଶେଷ ହୋଇଥିଲା । ପାଖାପାଖୀ ୧୨ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ ।
ମେ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଫଳ ପାଇବାର କାର୍ଯ୍ୟକ୍ରମ ଚାଲିଛି ବୋଲି କୁହାଯାଇଛି ।