ରାଜ୍ୟରେ ୫ଦିନ କାଳବୈଶାଖୀ ବର୍ଷା
ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ପଡ଼ିବାର ଆଶଙ୍କା ଦେଖାଦେଇଛି ବୋଲି ସତର୍କତା ଜାରି କରିଛି ।
ବିଶେଷ କରି ୧୦ ଜିଲାରେ ବିଜୁଳି ଘଡଘଡ଼ି ସହ ପବନ ଓ ବର୍ଷାର ସମ୍ଭାବନା ରହିଛି । ଯାହାକି ୫ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲାରେ ଲାଗି ରହିବ ।
୨୪ ଘଂଟା ପାଇଁ ୧୦ ଜିଲାକୁ ସତର୍କତା ଜାରି କରାଯାଇଥିବାବେଳେ ସ୍ଥାନେ ସ୍ଥାନେ କୁଆପଥର ବର୍ଷାର ସମ୍ଭାବନା ରହିଛି ବୋଲି ଆଂଚଳିତ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ (ହଳଦିଆ ସତର୍କତା) ଜାରି କରାଯାଇଛି ।
ଆସନ୍ତାକାଲି ଅର୍ଥାତ୍ ଗୁରୁବାର କଳାହାଣ୍ଡି, ନବରଙ୍ଗପୁରରେ ୪୦ରୁ ୫୦କିମି ବେଗରେ ପବନ ଓ ବର୍ଷାର ସମ୍ଭାବନା ରହିଛି ।
ତେଣୁ ଏହି ଦୁଇ ଜିଲାକୁ ହଳଦିଆ ସତର୍କତା ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲାରେ ଘଡଘଡି-ବିଜୁଳି ସହ ୩୦ରୁ ୪୦କିମି ବେଗରେ ପବନ ବହିବାର ଆଶଙ୍କା ଦେଖାଦେଇଛି ।
ଆଗାମୀ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଂଚଳରେ ଏଭଳି ପରିସ୍ଥିତି ଜାରି ରହିପାରେ ବୋଲି ସତର୍କ କରାଯାଇଛି ।
ତେବେ ଏହି ଝଡ଼ବର୍ଷାରୁ ଯେପରି ରକ୍ଷା ମିଳିପାରେ ସେଥିପାଇଁ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।