ଧାନ ବସ୍ତା ସହ ରାସ୍ତା ଅବରୋଧ
ଶାସନ ବଦଳିଛି; କିନ୍ତୁ ବଦଳିନି ଚାଷୀଙ୍କ ଅବସ୍ଥା
ରାଜ୍ୟରେ ଶାସନ ବଦଳିଛି; କିନ୍ତୁ ବଦଳିନି ଚାଷୀଙ୍କ ଅବସ୍ଥା । ପୂର୍ବରୁ ଯେଭଳି ଥିଲେ ଏବେ ମଧ୍ୟ ସେଭଳି ଅଛନ୍ତି । ବର୍ଷ ତମାମ ମୁଣ୍ଡ ଝାଳ ତୁଣ୍ଡରେ ମାରି ଖରା ବର୍ଷା ଶୀତ କାକର ସହି ଚାଷୀ ଜମିରେ ଖଟି ବର୍ଷକର ଖାଦ୍ୟ ଯୋଗାଡ଼ କରୁଛି; ମାତ୍ର. ସରକାରୀ ବାବୁଙ୍କ ଖାମଖିଆଲ ଓ ଦାୟିତ୍ୱହୀନତା ଯୋଗୁଁ ତା’ର ବର୍ଷକର ପରିଶ୍ରମର କୌଣସି ମୂଲ୍ୟ ରହୁନାହିଁ ।
ଏବେ ରାଜ୍ୟ ତମାମ ଧାନ ମଣ୍ଡରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ଚାଷୀ ତାତିଛନ୍ତି ।
ସରକାର ଟୋକନ ଦେଉଛନ୍ତି ସତ; କିନ୍ତୁ ଧାନ ମଣ୍ଡିରେ ଧାନ ଉଠାଉନାହିଁ ମିଲର । ଯାହାକୁ ନେଇ ନିରନ୍ତର କିଛି ଦିନ ହେବ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ଆଜି ନୀଳଗିରିରେ ସମ ଅବସ୍ଥା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲା ନୀଳଗିରିରେ ଚାଷୀ ରାସ୍ତା ଉପରେ ଧାନବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ, ଅମ୍ବିକାପୁର ମଣ୍ଡିରେ ଏଯାବତ ଚାଷୀଙ୍କ ଧାନ ଉଠିପାରିନି । ଏହାର ବିରୋଧରେ ନିମପାଳ ଛକରେ ଶୁକ୍ରବାର ସକାଳୁ ଚାଷୀ ରାସ୍ତାରେ ଧାନବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସେମାନଙ୍କ ଅଭିଯୋଗ ଅନୁଯାୟୀ, ସରକାର କେବଳ ଅନଲାଇନରେ ଆମକୁ ପଂଜିକୃତ କରାଇ ଟୋକନ ଦେଇ ଚୁପ ହୋଇ ବସିଯାଇଛନ୍ତି; ମାତ୍ର ବର୍ଷକ ଯାକ ଜମିରେ ଖଟି ଯେଉଁ ଧାନ ତକ ଉତ୍ପାଦ କରିଛୁ ତାକୁ ନେଉନାହାନ୍ତି ।
ସରକାର କେବଳ ଧାନର ସହାୟକ ରାଶି ବଢ଼ାଇଛନ୍ତି; କିନ୍ତୁ ଜାଣିଶୁଣି ଉଦେଶ୍ୟମୂଳକ ଭାବେ ଚାଷୀର ଉତ୍ପାଦକୁ ନିଆଯାଉ ନାହିଁ । ଅମ୍ବିକାପୁର ମଣ୍ଡିରେ ଘୋର ଅବ୍ୟବସ୍ଥା ଲାଗି ରହିଛି ।
ରବିବାର ଠାରୁ ଏହି ମଣ୍ଡିରେ ଧାନ ପଡ଼ିରହିଥିବାବେଳେ ସେସବୁ ଏବେ ଗଜା ହୋଇସାରିଲାଣି । ଏଣୁ ସରକାର ତାଙ୍କ ସମସ୍ୟାର ସମାଧାନ ନ କଲେ ଓ ମଣ୍ଡିରେ ଥିବା ଧାନ କିଣାନଗଲେ ଏହି ବିକ୍ଷୋଭ ଜାରି ରହିବ ବୋଲି ଆନେ୍ଦାଳନକାରୀ ଚାଷୀ ଚେତାବନ ଦେଇଛନ୍ତି ।