ଜମି ନେଇ କରୁନାହାଁନ୍ତି ଶିଳ୍ପ
୨୫ଟି ଶିଳ୍ପାନୁଷ୍ଠାନକୁ କାରଣଦର୍ଶାଅ ନୋଟିସ
ଜମି ନେଇ ପରିତ୍ୟକ୍ତି ଅବସ୍ଥାରେ ରଖିବା ଓ ଶିଳ୍ପ ପ୍ରତିଷ୍ଠା ନ କରିବା ଅଭିଯୋଗରେ ଅଭିଯୁକ୍ତ ଶିଳ୍ପାନୁଷ୍ଠାନ ବିରୋଧରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ପରିଲକ୍ଷିତ ହୋଇଛି ।
ମୋଟ ପ୍ରାୟ ୨୫ଟି ଶିଳ୍ପାନୁଷ୍ଠାନକୁ ଏଥି ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ଜଣାପଡ଼ିଛି । ମୂଳତଃ ଜମି ନେଇ ଶିଳ୍ପ କରୁ ନଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତି ଗ୍ରହଣ କରିଛନ୍ତି । ତେବେ ୭ଟି ଶିଳ୍ପାନୁଷ୍ଠାନ ଜମି ଆବଂଟନ ରଦ୍ଦ, ୫ଟି ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ବନ୍ଦ ଥିବା ୯୧୪ଟି ସଂସ୍ଥାରୁ ଇଡ୍କୋ ନିୟମ ଅନୁଯାୟୀ ୬୬୫ଟି ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ସେଥିମଧ୍ୟରୁ ୨୬୭ଟି ଶିଳ୍ପ ସଂସ୍ଥାର ଜମି ଆବଂଟନ ରଦ୍ଦ ହୋଇଛି । ଆବଂଟନ ରଦ୍ଦ ମଧ୍ୟରୁ ୮୧ଟି ଶିଳ୍ପ ସଂସ୍ଥା ବିରୋଧରେ ଇୟୁଓ ମାମଲା ରହିଛି ।
ଶୁକ୍ରବାର ବିଧାନସଭାରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତରରେ କହିଛନ୍ତି ।
ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଜମି ଯୋଗାଇ ଦେଉଥିଲେ ହେଁ କମ୍ପାନୀ ଦେବାଳିଆ କିମ୍ବା ଅନ୍ୟ କାରଣରୁ ବନ୍ଦ ହେଲେ ଉକ୍ତ ଜମିକୁ ଆଉ ସରକାରଙ୍କୁ ଫେରାଉନଥିବା ଅଭିଯୋଗ ହେଉଛି ।
କେତେ ଜମି ଓଡ଼ିଶାରେ ଏଭଳି ରହିଛି ବୋଲି ବିଧାୟକ ଚକ୍ରମଣି ମନ୍ତ୍ରୀଙ୍କୁ ପଚାରିଥିଲେ ।