ବଢ଼ିଲା ପ୍ରତାପଙ୍କ ସୁରକ୍ଷା ବ୍ୟବସ୍ଥା
ପ୍ରଶାନ୍ତଙ୍କ କ୍ୱାର୍ଟରରେ କେମିତି ରହିଲେ ପ୍ରତାପ – ମନୋଜ
ଏବେ ବିଜେଡି ପାଇଁ କିଛି ବି ଭଲ ଚାଲୁନି । ପ୍ରଥମେ ଗତ ୧୬ ତାରିଖରେ ରାଜ୍ୟସଭା ଭୋଟିଂରେ ଦଳୀୟ ହ୍ୱିପକୁ ନମାନି ୮ ଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ । ଫଳରେ ୪ର୍ଥ ଆସନ ପାଇଁ ବିଜେଡି-କଂଗ୍ରେସ କମନ ପ୍ରାର୍ଥୀ ଦତେଶ୍ୱର ହୋତାଙ୍କୁକୁ ପରାସ୍ତ ହେବାକୁ ପଡ଼ିଥିଲା ।
ଏହାକୁ ନେଇ ସେବେଠାରୁ ଦଳ ଭିତରେ ହଟଚମଟ ଲାଗି ରହିଛି । କେମିତି ଏତେଗୁଡ଼ିଏ ବିଧାୟକ ଦଳୀୟ ହ୍ୱିପକୁ ଖାତିର ନ କରି କ୍ରସ ଭୋଟିଂ କଲେ ତାହା ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶ୍ଚର୍ଯ୍ୟ କରିଛି ।
ତେବେ ପରାସ୍ତକୁ ସହଜରେ ହଜମ କରିନପାରି ଔଷଧ ରାଗରେ ତାଟିଆ କାମୁଡ଼ିବା ଭଳି ଦଳର ୮ ଅମାନିଆ ବିଧାୟକଙ୍କୁ ନବୀନ ସସପେଣ୍ଡ କରିଛନ୍ତି । ତଥାପି ବିଜେଡିରେ ରାଜନୈତିକ ଛକାପଞ୍ଝା ଓ କାଦୁଅ ଫିଙ୍ଗା ରାଜନୀତି ଥମୁନି ।
ଏବେ ଆଉ ଏକ କଥା ସାମ୍ନାକୁ ଆସିଛି ।
ବିଧାୟକ ନଥାଇ କିଭଳି ପ୍ରତାପ ଜେନା ଭୁବନେଶ୍ୱରସ୍ଥିତ ପ୍ରଶାନ୍ତ ବେହେରାଙ୍କ ସରକାରୀ କ୍ୱାର୍ଟରରେ ରହିଥିଲେ ବୋଲି ଅସନ୍ତୁଷ୍ଟ ବିଧାୟକମାନେ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି ।
କେବଳ ସେତିକି ନୁହେଁ ଏବେ ବିଜେଡିରେ ଦୀର୍ଘ ଦିନରୁ ଲାଗି ରହିଥିବା ଅନ୍ତଃକନ୍ଦଳ ପଦାରେ ପକାଇଛି ବୋଲି ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।
ତେଣେ ଭୁବନେଶ୍ୱରରେ ଥିବା ପ୍ରତାପ ଜେନାଙ୍କ ବାସଭବନ ଉପରେ କିଛି ଯୁବକ ଗତକାଲି ରାତିରେ ଆକ୍ରମଣ କରିବା ସହ ସେଠାରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଥିଲେ ।
ଏହି ଘଟଣା ପରେ ପ୍ରତାପଙ୍କ ଘରର ସୁରକ୍ଷା ବଢ଼ାଯାଇଛି ।