ବିଜେଡିକୁ ଫେରିଲେ ରଘୁନାଥ ଓ ଜୀବନ ପ୍ରଦୀପ
ଗତ କିଛିଦିନ ଧରି ବିଜେଡିରେ ବିତର୍କ ଜାରି ରହିଥିବାବେଳେ ଆଜି ଦୁଇ ନେତାଙ୍କ ଘର ବାହୁଡ଼ାକୁ ନେଇ ଶଙ୍ଖ ଭବନରେ ଉତ୍ସାହ ଖେଳିଯାଇଥିବା ପରିଲକ୍ଷିତ ହୋଇଛି ।
ଜଣାପଡ଼ିଛି ଯେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ ଦୁହେଁ ବିଜେଡିକୁ ଫେରିଛନ୍ତି । ଶଙ୍ଖ ଭବନରେ ଦଳର ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର, ଉପସଭାପତି ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ପୁଣି ସାମିଲ ହୋଇଛନ୍ତି ।
ପୂର୍ବରୁ ବିଜେଡି ଟିକଟରେ ଜୀବନ ପ୍ରଦୀପ ଦାସ ବାଲେଶ୍ୱରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ପୂର୍ବତନ ବସ୍ତା ବିଧାୟକ ରଘୁନାଥ ମହାନ୍ତି ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ ।
ଶେଷ ଥର ପାଇଁ ସେ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ।
ଦୁଇ ନେତାଙ୍କ ଆଗମନକୁ ନେଇ ବାଲେଶ୍ୱର ବିଜେଡି ଅଧିକ ଭାବେ ସୁଦୃଢ଼ ହେବା ସମ୍ଭବ ବୋଲି ନେତା-କର୍ମୀମାନେ କହିଛନ୍ତି ।