ଅଗ୍ନି ନିରାପତା : ଜିଲାପାଳଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ
ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।
ଲୋକସେବା ଭବନଠାରେ ଦୃଶ୍ୟସଂଚାରୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଅଧ୍ୟକ୍ଷତା କରିଥିଲେ ।
ସମସ୍ତ ଜିଲାର ଜିଲାପାଳ ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକର ଅଗ୍ନି ନିରାପତା ଭିତିଭୂମି ନିମନ୍ତେ ନିରୀକ୍ଷଣ, ଆବଶ୍ୟକ ଏଷ୍ଟିମେଟ ଓ ସମୟସୀମା ମଧ୍ୟରେ ଶେଷ କରିବାକୁ ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦେଇଥିଲେ । ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ, ମକ୍ ଡ୍ରିଲ, ନିୟମିତ ଯାଂଚ ଇତ୍ୟାଦି ବ୍ୟବସ୍ଥା ଶୀଘ୍ର ଶେଷ କରିବା ନିମନ୍ତେ ନିର୍ଦେଶ ଦେଇଥିଲେ ।
ଜିଲାମାନଙ୍କରେ ଏସବୁକୁ ଗୁରୁତ୍ୱର ସହ ପାଳନ ନିମନ୍ତେ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି ।
ବୈଠକରେ ପୂର୍ତ ବିଭାଗ ପ୍ରମୁଖ ସଚିବ ସଂଜୟ କୁମାର ସିଂ, ସ୍ୱତନ୍ତ୍ର ରିଲିଫ୍ କମିସନର ରାଜେଶ ପ୍ରଭାକର ପାଟିଲ, ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଅଶ୍ୱତୀ ଏସ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଦୃଶ୍ୟସଂଚାରୀ ମାଧ୍ୟମରେ ସମସ୍ତ ଜିଲାପାଳ, ମୁଖ୍ୟ ଚିକିତ୍ସା ଅଧିକାରୀ, ଅଗ୍ନିଶମ ଅଧିକାରୀ, ମେଡ଼ିକାଲ କଲେଜ ଅଧ୍ୟକ୍ଷ, ସୁପରିଟେଣ୍ଡେଂଟ ପ୍ରମୁଖ ଉପସ୍ଥିତ ଥିଲେ ।