ପୁଣି ବଢ଼ିଲା ସୁନା ଦର
ଗତ କିଛି ଦିନ ହେବ ସୁନା ଓ ରୂପା ଦରରେ ହ୍ରାସ ପାଉଥିଲା । କିନ୍ତୁ ଆଜି ପୁଣି ସେହି ଦରରେ ରୋକ ଲାଗିଥିବା ଜଣାପଡ଼ିଛି । ଯାହାଦ୍ୱାରା ବୁଧବାର କଟକ ଓ ଭୁବନେଶ୍ୱରରେ ସୁନା ଓ ରୂପ ଦର ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି ।
ବୁଧବାର ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ୧୦ଗ୍ରାମ ପିଛା ଦର ୩୪୫୦ଟଙ୍କା ବୃଦ୍ଧି ପାଇ ୧,୩୪,୪୫୦ଟଙ୍କା ହୋଇଛି । ସେହିପରି ୨୪ କ୍ୟାରେଟ ସୁନା ୧୦ଗ୍ରାମ ମୂଲ୍ୟ ୩୭୬୦ଟଙ୍କା ବଢ଼ିବାଦ୍ୱାରା ସଂପ୍ରତି ତାହା ୧,୪୬,୬୭୦ଟଙ୍କା ହୋଇଛି ।
ରୂପା କିଲୋ ମଧ୍ୟ ୧୦ହଜାର ଟଙ୍କା ବୃଦ୍ଧି ପାଇ ୨,୬୦,୦୦୦ଟଙ୍କା ହୋଇଛି । ଚଳିତ ମାସ ୧୮ ତାରିଖରୁ ସୁନା ଦର ଲଗାତର ଭାବେ ହ୍ରାସ ପାଉଥିଲା । ମାର୍ଚ ୧୮ରୁ ୨୪ ତାରିଖ ମଧ୍ୟରେ ୨୨ କ୍ୟାରେଟ୍ ସୁନା ୧୩,୯୦୦ ଟଙ୍କା ଓ ୨୪କ୍ୟାରେଟ୍ ସୁନା ୧୫,୧୭୦ଟଙ୍କା ଶସ୍ତା ହୋଇଥିଲା ।
କେବଳ ଭୁବନେଶ୍ୱର ନୁହେଁ, ଆଜି ଦେଶବ୍ୟାପୀ ସୁନା ଓ ରୂପା ଦର ମହଙ୍ଗା ହୋଇଥିବା ଜଣାପଡ଼ିଛି । ଇଣ୍ଡିଆନ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ (ଆଇବିଜେଏ) ତଥ୍ୟ ଅନୁସାରେ ୨୪ କ୍ୟାରେଟ ସୁନା ମୂଲ୍ୟ ୫ହଜାର ଟଙ୍କା ବଢ଼ି ୧ଲକ୍ଷ ୪୫ହଜାର ଟଙ୍କା ହୋଇଛି ।
ସେହିପରି ରୂପା ଦର ମଧ୍ୟ ୯ହଜାର ଟଙ୍କା ବଢ଼ି ୨.୩୪ଲକ୍ଷ ଟଙ୍କା ହୋଇଛି । ଗତ ସପ୍ତାହରୁ ସୁନା ଦର କମୁଥିବାରୁ କିଛି ଦିନ ହେଲାଣି ଗହଣା ଦୋକାନଗୁଡ଼ିକରେ ଗ୍ରାହକଙ୍କ ସଂଖ୍ୟା ଅଧିକ ହେଉଥିଲା ।
ବିଶେଷଜ୍ଞଙ୍କ ମତରେ ସୁନା ଦର ଯଥେଷ୍ଟ ଉଚ୍ଚ ସ୍ତରରେ ଥିବାରୁ ନିବେଶକମାନେ ବହୁତ ଭାବିଚିନ୍ତି ନିବେଶ କରୁଛନ୍ତି । ଗତ ସପ୍ତାହରୁ ସେଥିରେ ସୁଧାର ଧାରା ଆରମ୍ଭ ହୋଇଥିଲା ।
କିନ୍ତୁ ବର୍ତମାନ ତାହା ପୁଣି ବୃଦ୍ଧି ପାଇବାଦ୍ୱାରା ଅନେକଙ୍କ ମୁଣ୍ଡାରେ ଚିନ୍ତା ପଡ଼ିଥିବା ପରିଲକ୍ଷିତ ହୋଇଛି ।