ଫେରିବ କି ଲକ ଡାଉନ୍ ?
ମଧ୍ୟପ୍ରାଚ୍ୟରେ ସାମରିକ ସଂଘର୍ଷ ଓ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁଁ ବିଶ୍ୱବ୍ୟାପୀ ତୈଳ ଦର ଆକାଶଛୁଆଁ ହୋଇଥିବାବେଳେ ଏହି ସଂକଟରୁ ରକ୍ଷା ପାଇବା ପାଇଁ ଆନ୍ତର୍ଜାତିକ ଶକ୍ତି ଏଜେନ୍ସି (ଆଇଇଏ) ଏକ ଜରୁରୀକାଳନୀ ମାର୍ଗଦର୍ଶିକା ଜାରି କରିଛି ।
ଏହି ନୂତନ ପ୍ଲେ-ବୁକ୍ ଅନୁଯାୟୀ ଇନ୍ଧନ ସଂଚୟ ପାଇଁ ଲୋକଙ୍କୁ ଘରୁ କାମ କରିବା (ୱାର୍କ ଫ୍ରମ୍ ହୋମ୍), ବିମାନ ଯାତ୍ରା କମ କରିବା, ରାଜପଥରେ ଗାଡ଼ିର ବେଗ ସୀମିତ ରଖିବା ଓ ସାର୍ବଜନୀନ ପରିବହନ ବ୍ୟବହାର କରିବା ଭଳି ୧୦ଟି କଠୋର ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।
ଯଦିଓ ତେହେରା ବର୍ତମାନ ହର୍ମୁଜ ପ୍ରଣାଳୀକୁ ଆଂଶିକ ଭାବେ ଖୋଲା କରିଥିବା ଦାବି କରୁଛି, ତଥାପି ସୃଷ୍ଟି ହୋଇଥିବା ଅଭାବ ଓ ବ୍ୟାକଲଗ ଯୋଗୁଁ ଆଗକୁ ଭୟଙ୍କର ସ୍ଥିତି ଉପୁଜିବା ଆଶଙ୍କାରେ ଏହି ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି ।
ଏହି କଟକଣାଗୁଡ଼ିକୁ ସାଧାରଣ ଜନତା କୋଭିଡ-୧୯ ଲକଡାଉନ ସହ ତୁଳନା କରି ସୋସିଆଲ୍ ମିଡ଼ିଆରେ ନିଜର ଆକ୍ରୋଶ ପ୍ରକାଶ କରିଛନ୍ତି ।
ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ତୈଳ ବଜାରରେ ଏକ ବଡ଼ ଧରଣର ବିଭ୍ରାଟ ସୃଷ୍ଟି ହୋଇଛି । ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଫଳରେ ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହାକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ଶକ୍ତି ଏଜେନ୍ସି କହିଛି ଯେ ଉପଲବ୍ଧ ସମ୍ବଳକୁ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ସାଇତି ରଖିବାକୁ ହେବ ।
ଏଥିପାଇଁ ସପ୍ତାହରେ ଅତି କମରେ ତିନି ଦିନ ଘରୁ କାମ କରିବାକୁ ଗୁରୁତ୍ୱ ଦିଆଯାଇଛି । ଯାହାଦ୍ୱାରା ଯାତ୍ରୀବାହୀ ଯାନବାହାନରୁ ପ୍ରାୟ ୬ ପ୍ରତିଶତ ପର୍ଯ୍ୟନ୍ତ ତୈଳ ବ୍ୟବହାର କମା ଯାଇପାରିବ ।
ଏଥି ସହିତ ରାଜପଥରେ ଗାଡ଼ିର ସର୍ବାଧିକ ବେଗ ସୀମାକୁ ପ୍ରାୟ ୬ ମାଇଲ ପ୍ରତି ଘଂଟା କମ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ଏହି ମାର୍ଗଦର୍ଶିକାରେ ଭାରତର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ରୋକିବା ପାଇଁ ଲାଗୁ ହୋଇଥିବା ଅଡ-ଇଭେନ (ଯୁଗ୍ମ-ଅଯୁଗ୍ମ) ନିୟମ ଭଳି ବ୍ୟବସ୍ଥାକୁ ବିଶ୍ୱ ସ୍ତରରେ ଆପଣାଇବାକୁ କୁହାଯାଇଛି ।