ଜେସପ-ଡନଲପର ପୂର୍ବତନ ମାଲିକ ପବନ ରୁହିଆ ଗିରଫ
୬ଶହ କୋଟି ଟଙ୍କାର ସାଇବର ପ୍ରତାରଣା
ପବନ ରୁହିଆ ଗିରଫ
ଡନଲପ ଓ ଜେସପର ପୂର୍ବତନ କର୍ଣ୍ଣଧାର ତଥା ବରିଷ୍ଠ ଶିଳ୍ପପତି ପବନ ରୁହିଆଙ୍କୁ ପଶ୍ଚିମବଙ୍ଗ ପୁଲିସର ସାଇବର ଅପରାଧ ଦମନ ଶାଖା ଗିରଫ କରିଛି ।
ମଙ୍ଗଳବାର ନିଉ ଟାଉନ୍ର ଏକ ହୋଟେଲ ସମ୍ମୁଖରେ ତାଙ୍କୁ ଗିରଫ କରାଯାଇଛି । ଅନ୍ତତଃ ୬୦୦କୋଟି ଟଙ୍କାର ସାଇବର ପ୍ରତାରଣା ମାମଲାରେ ତାଙ୍କୁ ପୁଲିସ ଗିରଫ କରିଛି ।
୨୦୨୫ ମସିହା ଡିସେମ୍ବର ୩୧ ତାରିଖରେ ଏହି ମାମଲା ପାଇଁ ତାଙ୍କୁ କଲକାତା ହାଇକୋର୍ଟ ରକ୍ଷାକବଚ ଦେଇଥିଲେ । କିନ୍ତୁ ତାହା ଆଜି ମାନ୍ୟବର ଅଦାଲତ ଉଠାଇ ଦେଇଛନ୍ତି । ରକ୍ଷାକବଚ ଉଠାଇନେବାର କିଛି ଘଂଟା ମଧ୍ୟରେ ପଶ୍ଚିମବଙ୍ଗ ସାଇବର ପୁଲିସ ତାଙ୍କୁ ଗିରଫ କରିଛି ।
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ୨୦୨୪ ମସିହାରେ ଇକୋ ପାର୍କ ଥାନାରେ ସ୍ୱପନ କୁମାର ମଣ୍ଡଳ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଏକ ବିଶେଷ ମୋବାଇଲ ଆପ ଇନଷ୍ଟଲ କରି ତାଙ୍କ ସହ ୯୩ଲକ୍ଷ ଟଙ୍କାର ପ୍ରତାରଣା କରାଯାଇଛି ।
ଏହି ଜାଲିଆତି ତଦନ୍ତ ଆଢୁଆଳରେ ଏକ ବିଶାଳ ସାଇବର ଜାଲିଆତି ଦଳର ପୁଲିସ ସନ୍ଧାନ ପାଇଥିଲା । ପରେ ତଦନ୍ତରୁ ଜଣାପଡ଼ିଛି ଯେ ଦେଶର ବିଭିନ୍ନ ସ୍ଥାନରୁ ସାଇବର ପ୍ରତାରଣା ମାଧ୍ୟମରେ ଉପାର୍ଜିତ ବହୁ ଅର୍ଥ ଏକାଧିକ ସେଲ କମ୍ପାନୀ ଆକାଉଂଟରେ ପଠାଯାଉଥିଲା ।
ଯେଉଁ ସେଲ କମ୍ପାନୀଗୁଡ଼ିକ କଲକାତାର ୪୬ ସୈୟଦ ଅମିର ଅଲି ଅଭିନ୍ୟୁ ରୁହିଆ ସେଂଟରରେ ଚାଲୁଥିଲା ପ୍ରାୟ ୧୪୮ଟି ସେଲ କମ୍ପାନୀ (ନକଲି)କୁ ପୁଲିସ ପରେ ଠାବ କରିବାରେ ସଫଳ ହୋଇଥିଲା ।
କେବଳ ପବନ ରୁହିଆ ନୁହେଁ, ଏଭଳି କେତେକ ମାମଲାରେ ତାଙ୍କ ପୁତ୍ର ରାଘବ ରୁହିଆ ଓ କନ୍ୟା ପଲ୍ଲବୀକୁ ମଧ୍ୟ ଅଭିଯୁକ୍ତ ଥିବା ପୁଲିସ କହିଛି । ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ (ଏନସିଆରପି)ର ତଥ୍ୟ ଅନୁସାରେ ସମଗ୍ର ଦେଶରେ ଅଭିଯୁକ୍ତଙ୍କ ସହ ଜଡ଼ିତ ଅନ୍ତତଃ ୧୩୭୯ଟି ସାଇବର ପ୍ରତାରଣାର ଅଭିଯୋଗ ସମ୍ମୁଖକୁ ଆସିଛି ।
୧୯୦୦ରୁ ଅଧିକ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ଏହି ଦୁର୍ନୀତି ବହୁ ଦୂର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି ବୋଲି ତଦନ୍ତକାରୀ ଦଳ ମନେ କରୁଛନ୍ତି ।