କନୋଲିଙ୍କ ଝଡ଼ରେ ଧରାଶାୟୀ ଗୁଜରାଟ ଟାଇଟାନ୍ସ
ଚଳିତ ଆଇପିଏଲରେ ଚଣ୍ଡିଗଡ଼ରେ ଗତ ମଙ୍ଗଳବାର ଗୁଜରାଟ ଟାଇଟାନ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପଞ୍ଜାବ କିଙ୍ଗସ ବ୍ୟାଟିଂ ପାଇଁ ଗୁଜରାଟ ଟାଇଟାନ୍ସକୁ ଆମନ୍ତ୍ରଣ କରିଥିଲା ।
ଗୁଜରାଟ ଟାଇଟାନ୍ସ ଧାର୍ଯ୍ୟ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୬୨ ରନ ସଂଗ୍ରହ କରିପାରିଥିଲା । ଦଳ ପକ୍ଷରୁ ଅଧିନାୟକ ଶୁଭମନ ଗିଲ ସର୍ବାଧିକ ୩୯ ରନ କରିଥିବାବେଳେ ଜୋସ ବଟଲର ୩୮, ଗ୍ଲେନ ଫିଲିପ୍ସ ୨୫ ଓ ୱାଶିଂଟନ ସୁନ୍ଦର ୧୮ ରନର ଯୋଗଦାନ ଦେଇଥିଲେ ।
ଅନ୍ୟ ବ୍ୟାଟ୍ସମ୍ୟାନମାନେ ତ୍ରୁଟିପୂର୍ଣ୍ଣ ସଟ୍ ଖେଳି କମ ସ୍କୋରରେ ଆଉଟ ହୋଇଥିଲେ ।
ପଞ୍ଜାବ କିଙ୍ଗସ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ବିଜୟ କୁମାର ବୈଶାଖ ୪ ଓଭରରେ ୩୪ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ଯୁଝେନ୍ଦ୍ର ଚହଲ ୨ଟି ଓ ମାର୍କୋ ଯାନସେନ ଗୋଟିଏ ୱିକେଟ ନେଇଥିଲେ ।
ବିଜୟ ପାଇଁ ୧୬୩ ରନର ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗସ ପ୍ରଥମରୁ ହିଁ ଓପନର ପ୍ରିୟାଂଶ ଆର୍ଯ୍ୟାଙ୍କ ୱିକେଟ ହରାଇଥିଲା । ଏହାପରେ ପ୍ରବସିମରନ ସିଂହ ଓ କୁପର କନୋଲିଙ୍କ ମଧ୍ୟରେ ଶତାଧିକ ଭାଗିଦାରୀ ହୋଇଥିଲା ।
କୁପର କନୋଲି ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖି ୪୪ଟି ବଲରୁ ୫ଟି ଚୌକା ଓ ୫ଟି ଛକା ସହାୟତାରେ ସର୍ବାଧିକ ୭୨ ରନ କରିଥିବାବେଳେ ପ୍ରବସିମରନ ସିଂହ ୩୭ ଓ ଅଧିନାୟକ ଶ୍ରେୟସ ଆୟର ୧୮ ରନ କରିଥିଲେ ।
ତେବେ ଗୋଟିଏ ପଟେ ନିୟମିତ ବ୍ୟବଧାନରେ ଗୁଜରାଟ ଟାଇଟାନ୍ସର ୱିକେଟ ପଡ଼ୁଥିବାବେଳେ ଅନ୍ୟପଟେ କନୋଲି ଦୃଢ଼ତାର ସହିତ ଗୁଜରାଟ ଟାଇଟାନ୍ସର ବୋଲରଙ୍କୁ ସାମ୍ନା କରି ରନ କରିଚାଲିଥିଲେ ।
ତାଙ୍କ ୭୨ ରନର ଉପାଦେୟ ଇନିଂସ ବଳରେ ପଞ୍ଜାବ କିଙ୍ଗସ ୫ଟି ବଲ୍ ବାକି ଥାଇ ୧୯.୧ ଓଭରରେ ୭ ୱିକେଟ ବିନିମୟରେ ୧୬୫ ରନ କରି ବିଜୟୀ ହୋଇଛି ।
ଗୁଜରାଟ ଟାଇଟାନ୍ସ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ପ୍ରସିଦ୍ଧ କ୍ରୀଷ୍ଣା ୩ଟି ୱିକେଟ ନେଇଥିବାବେଳେ କାଗିସୋ ରବାଡ଼ା, ଅଶୋକ ଶର୍ମା, ରସିଦ ଖାନ ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
କୁପରଙ୍କୁ ତାଙ୍କ ଲଢ଼ୁଆ ଇନିଂସ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷିତ କରାଯାଇଥିଲା ।