ଓଡ଼ିଶା ଏବେ ମାଓମୁକ୍ତ : ଶାହ
ଟଳିଛନ୍ତି ୨୭ ନକ୍ସଲ, ହଟିଛନ୍ତି ୧୫୬
୨୩୯ ସୁରକ୍ଷାକର୍ମୀ ସହିଦ
ଆଉ କେହି ଲାଲ ପତାକା ଉଡ଼ାଇ ରାଜ୍ୟର ନିରୀହ ଆଦିବାସୀଙ୍କୁ ମାଓବାଦୀ ନାମରେ ଡରାଇବେ ନାହିଁ । ଆଉ ଶୁଭିବନି ଲାଲ ସଲାମ କି ଗର୍ଜିବନି ବନ୍ଧୁକ କି ଫାଟିବନି ମାଇନ୍ସ । କାରଣ ଓଡ଼ିଶା ଏବେ ସମ୍ପୂର୍ଣ୍ଣ ରୂପେ ମାଓମୁକ୍ତ ହୋଇସାରିଛି ବୋଲି ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୟାନ ରଖିଛନ୍ତି ।
ଏହି କ୍ରମରେ ସେ କହିଛନ୍ତି ଯେ, ଗତ ୨୦୨୫ରୁ ଆଜି ପର୍ଯ୍ୟନ୍ତ ସୁରକ୍ଷା ବାହିନୀଙ୍କ ପକ୍ଷରୁ ମାଓ ଦମନ ଅଭିଯାନ କରାଯାଇ ୧୫୬ ଜଣ ନକ୍ସଲଙ୍କୁ ହଟାଇ ଦିଆଯାଇଛି । ସୁରକ୍ଷାବାହିନୀଙ୍କ ସହ ଏନକାଉଂଟରରେ ୨୭ ଦୁର୍ଦ୍ଦାନ୍ତ ମାଓବାଦୀ ଟଳିଥିବାବେଳେ ୧୨୦ ଜଣ ଆତ୍ମସମର୍ପଣ କରିଛନ୍ତି । ସେହିଭଳି ୯ ଜଣଙ୍କୁ ଗିରଫ କରାଯାଇଛି ।
ମାଓ ଦମନ ଅଭିଯାନରେ ୨୩୯ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବାବେଳେ ୧୪୨ ଜଣ ଓଡ଼ିଶାର ୧୨୫ ଜଣ ପୁଲିସ କର୍ମଚାରୀ, ୨୫ ସିଆପିଏଫ ଓ ୧୫ ଜଣ ବିଏସଏଫ ଯୱାନ ଅଛନ୍ତି । ସେହିପରି ଶହିଦ ଯୱାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ପୁଲିସର ୩୮ ଜଣ, ୧୦ ସିଅଇଏସଏଫ ଯୱାନ ଓ ୯ ଜଣ ଛତିଶଡ଼ ପୁଲିସର କର୍ମଚାରୀ ଅଛନ୍ତି ।
ସେହିଭଳି ରକ୍ତମୁଖା ନକ୍ସଲଙ୍କ ଆକ୍ରମଣରେ ୩୫୯ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ତେବେ ଗତ ମାର୍ଚ୍ଚ ୩୧ ତାରିଖ ପରେ ଆଉ ଓଡ଼ିଶାକୁ ନକ୍ସଲ ବିପଦ ନାହିଁ ବୋଲି ଏଡିଜି ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି ।
ଅନ୍ୟପଟେ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସରକାର ଦେଇଥିବା ଡେଟଲାଇନ ଗତ କାଲି ମାର୍ଚ୍ଚ ୩୧ ତାରିଖରେ ଶେଷ ହୋଇଥିବାରୁ ଏହାପରେ ଆଉ କାହାରିକୁ ଆତ୍ମସମର୍ପଣ ପାଇଁ ସୁଯୋଗ ଦିଆଯିବନି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ତାଙ୍କ କହିବାନୁସାରେ, ଗତ ୨୦୧୨ରେ ଓଡ଼ିଶାର ୨୧ଟି ଜିଲା ମାଓପ୍ରବଣ ଥିଲା । ପରେ ସରକାରଙ୍କ ପକ୍ଷରୁ ମାଓ ଦମନ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା । ଫଳରେ ୨୦୨୫ ଆରମ୍ଭରୁ ମାଲକାନଗିରି, କୋରାପୁଟ, ବଲାଙ୍ଗିର, ବୌଦ୍ଧ, ନୂଆପଡ଼ା, ନରବଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି ଭଳି ୮ଟି ଜିଲାକୁ ମାଓମୁକ୍ତ କରାଯାଇଛି ।
ତେବେ କେବଳ କନ୍ଧମାଳ ଜିଲାରେ ୮ରୁ ୯ ଜଣ ନକ୍ସଲ ବାକି ରହିଛନ୍ତି ଯେଉମାନଙ୍କୁ ଆଉ ଆତ୍ମସମର୍ପଣର ସୁଯୋଗ ଦିଆଯିବନି ବରଂ ଏନକାଉଂଟର କରାଯିବ ବୋଲି ଏଡିଜେ ଶ୍ରୀ ପଣ୍ଡା ସ୍ପଷ୍ଟ କରିଛନ୍ତି ।
ନକ୍ସଲବାଦ ବିରୋଧୀ ଅଭିଯାନରେ ଭାଗ ନେଇ ଉକ୍ରୃଷ୍ଟ ପ୍ରଦର୍ଶନ କରିଥିବା ଏସଓଜି, ଡିଭିଏଫ, ସିଆରପିଏଫ, ବିଏସଏଫ ଓ ଏସଆଇଡବ୍ଲୁ୍ୟକୁ ଶ୍ରୀ ପଣ୍ଡା ଉଚ୍ଚ ପ୍ରଶଂସା କରିବା ସହ ଦେଶର ସର୍ବୋତମ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ପ୍ରଣୟନ କରିଥବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଏଡିଜେ ଧନ୍ୟବାଦ ଦେଇଛନ୍ତି ।