ପୁରୀ ବିମାନବନ୍ଦର ପାଇଁ ମିଳିଲା ଅନୁମତି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜଙ୍ଗଲ ବିଭାଗ ଅନୁମତି ପ୍ରଦାନ କରିଛନ୍ତି । ପୁରୀରେ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାରଙ୍କ ଷ୍ଟେଜ-୧ ଅନୁମୋଦନ ମିଳିଛି ।
ପୁରୀ ବିମାନ ବନ୍ଦର ପ୍ରକଳ୍ପ ଲାଗି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି । ପୁରୀ ଜଙ୍ଗଲ ବିଭାଗର ୨୭.୮୮୭ ହେକ୍ଟର ଜଙ୍ଗଲ ଜମି ଯୋଗାଇ ଦିଆଯିବ ।
ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ହେବା ପାଇଁ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ ।
ପୁରୀ ଚାରିଧାମରୁ ଶ୍ରେଷ୍ଠ ଧାମ ହୋଇଥିବାବେଳେ ଏହାର ଅତି ନିକଟରେ ବିଭିନ୍ନ ଐତିହ୍ୟସ୍ଥଳୀ ରହିଛି । ପୁରୀ ବିଚ ବ୍ଲୁ-ଫ୍ଲାଗ ମାନ୍ୟତା ପାଇଛି । ତେଣୁ ଶ୍ରୀ କ୍ଷେତ୍ର ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଆବଶ୍ୟକତା ରହିଛି ବୋଲି ଚିଠିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଲ୍ଲେଖ କରିଥିଲେ ।
ସୂଚନା ଅନୁଯାୟୀ ପୁରୀରେ ଏହି ଅନ୍ତର୍ଜାତୀୟ ବିମାନ ବନ୍ଦର ସମୁଦାୟ ୪୭୧ ହେକ୍ଗଟର ଜମିରେ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି ।
ଏଥି ମଧ୍ୟରେ ପ୍ରାୟ ୨୮ଏକର ଜଙ୍ଗଲ ଜମି ଏବଂ ସମୁଦ୍ର କୂଳବର୍ତୀ କିଛି ଅଂଚଳ ରହିଛି । ବହୁ ଦିନରୁ ଏହିଜଙ୍ଗଲ ଜମି ଅନୁମତି ପାଇଁ ଅପେକ୍ଷା କରାଯାଇଥିବାବେଳେ ଏବେ ସବୁଜ ସଂକେତ ପ୍ରକଳ୍ପକୁ ଗତିଶୀଳ କରିବ ।
କେନ୍ଦ୍ରର ମଞ୍ଜୁରି ପରେ ଏବେ ଜମି ଅଧିଗ୍ରହଣ ଏବଂ ନିର୍ମାଣ ପାଇଁ ପରବର୍ତୀ ବୈଷୟିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।