କଟକ ଏସିସିବି ମେଡ଼ିକାଲରେ ହଇଚଇ
ଅସହାୟ ମହିଳାଙ୍କ ୧୪ଶିଶୁ ବିକ୍ରି!
କଟକ ବଡ଼ ମେଡ଼ିକାଲରେ ଗତ ୬ବର୍ଷ ମଧ୍ୟରେ ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ୧୬ଜଣ ଅସହାୟ ତଥା ମାନସିକ ବିକାରଗ୍ରସ୍ତ ମହିଳା ସନ୍ତାନ ପ୍ରସବ କରିଛନ୍ତି ।
ସେମାନଙ୍କ ମଧ୍ୟରୁ ୨ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ଅବଶିଷ୍ଟ ୧୪ଜଣଙ୍କ ସନ୍ଧାନ ମିଳୁନି । ଯେଉଁ ସାମାଜିକ ସଂଗଠନ ବା ବ୍ୟକ୍ତିବିଶେଷ ଏହି ଅସହାୟ ମହିଳାଙ୍କୁ ରାସ୍ତାରୁ କିମ୍ବା ବିଭିନ୍ନ ସ୍ଥାନରୁ ଆଣି ଡାକ୍ତରଖାନାରେ ଭର୍ତି କରିଥିଲେ, ସେମାନଙ୍କ ହାତରେ ଏହି ନବଜାତ ଶିଶୁଙ୍କୁ ଟେକି ଦିଆଯାଇଥିବା ଅଭିଯୋଗ ଓ ଆଲୋଚନା ହେଉଛି ।
ଏଭଳି କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ୍ ହୋଇଥିବାବେଳେ ଏବେ ଏହି ଶିଶୁଙ୍କ କୌଣସି ଖବର ମିଳୁନାହିଁ । ଏଭଳି ତଥ୍ୟ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିବା ପରେ ସାଧରଣରେ ହଇଚଇ ସୃଷ୍ଟି ହୋଇଛି । ଯଦି ଏହି ଶିଶୁଙ୍କ ସନ୍ଧାନ ମିଳୁନି, ତେବେ ଏମାନଙ୍କୁ କ’ଣ ବିକ୍ରି କରାଯାଇଛି ବୋଲି ସାଧାରଣଙ୍କ ମନରେ ପ୍ରଶ୍ନ ଉଠିବାକୁ ଲାଗିଛି । ସୂଚନାଯୋଗ୍ୟ ଯେ ଏସସିବି ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ଅସହାୟ ଓ ଅପରିଚିତ ମାନସିକ ବିକାରଗ୍ରସ୍ତ ମହିଳାମାନେ ବିଭିନ୍ନ ସମୟରେ ସନ୍ତାନ ପ୍ରସବ କରୁଛନ୍ତି ।
ସାଧାରଣତଃ ସାମାଜିକ କର୍ମୀଙ୍କ ମାଧ୍ୟମରେ ସେମାନଙ୍କୁ ଭର୍ତି କରାଯାଉଛି । ସନ୍ତାନ ପ୍ରସବ ପରେ ନବଜାତ ଶିଶୁଙ୍କୁ ମେଡ଼ିକାଲ ପକ୍ଷରୁ ନିୟମ ଅନୁଯାୟୀ ସିଡବ୍ଲ୍ୟୁସି ଓ ଜିଲା ଶିଶୁ ସୁରକ୍ଷା ଅଧିକାରଙ୍କ ମାଧ୍ୟମରେ ଶିଶୁ ଯତ୍ନ ପ୍ରତିଷ୍ଠାନରେ ଥଇଥାନ କରିବା କଥା, କିନ୍ତୁ ଯେଉଁମାନେ ଏହି ମହିଳାଙ୍କୁ ମେଡ଼ିକାଲ ଆଣିଥାଆନ୍ତି । ସେମାନଙ୍କୁ ନବଜାତ ଶିଶୁଙ୍କୁ ଟେକି ଦିଆଯାଉଥିବା ଭଳି ଚାଂଚଲ୍ୟକର ତଥ୍ୟ ସୂଚନା ଅଧିକାର ଆଇନ ବଳରେ ପଦାକୁ ଆସିଛି । ଏହି ଶିଶୁମାନେ ଏବେ କେଉଁଠି ଅଛନ୍ତି, ଏବଂ କିଏ ନେଇଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ନାହିଁ ।
ନବଜାତ ଶିଶୁଙ୍କ ଜନ୍ମ ପଞ୍ଜୀକରଣ ପାଇଁ ମେଡ଼ିକାଲ କର୍ତୃପକ୍ଷ କଟକ ମହାନଗର ନିଗମକୁ ପଠାଉ ନାହାନ୍ତି । ୧୯୬୯ ମସିହା ଜନ୍ମମୃତ୍ୟୁ ପଞ୍ଜୀକରଣ ବାଧ୍ୟତାମୂଳକ ଥିବାବେଳେ ଏହାକୁ ମେଡ଼ିକାଲରେ କାର୍ଯ୍ୟକାରୀ କରାଯାଉ ନାହିଁ ।
ଏସସିବି ମେଡ଼ିକାଲ ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ୨୦୧୮ ମସିହା ଡିସେମ୍ବର ୨୬ରୁ ୨୦୨୫ ମସିହା ମାର୍ଚ ୨ ତାରିଖ ସୁଦ୍ଧା ୧୬ଜଣ ଅସହାୟ ତଥା ଅପରିଚିତ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ପ୍ରସବ କରାଯାଇଛି । ଏଥିରୁ ୨ଜଣଙ୍କ ମୃତ୍ୟୁ ହୋଇଛି । ଏସସିବି ପକ୍ଷରୁ ସୂଚନା ଅଧିକାର ଆଇନ ବଳରେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ଯେଉଁ ଅସହାୟ ଓ ଅପରିଚିତ ମାନସିକ ବିକାରଗ୍ରସ୍ତ ମହିଳା ସନ୍ତାନ ଜନ୍ମ ଦେଇଛନ୍ତି ସେହି ନବଜାତ ଶିଶୁଙ୍କ ସନ୍ତାନକୁ ଜିଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରିବା ପାଇଁ କୌଣସି ପ୍ରକାର ସ୍କୋପ ଅଫ୍ ନାହିଁ । ତେଣୁ ଯେଉଁ ସଂସ୍ଥା ବା ବ୍ୟକ୍ତି ଏହି ମହିଳାଙ୍କୁ ଆଣୁଥିଲେ, ନବଜାତ ଶିଶୁଙ୍କୁ ସେମାନଙ୍କୁ ହସ୍ତାନ୍ତର କରାଯାଇଥିବା ଏସସିବି ପକ୍ଷରୁ ଦର୍ଶାଯାଇଛି ।
୨୦୨୬ ମସିହା ଫେବୃଆରୀ ୧୬ ତାରିଖ ସୁଦ୍ଧା ମେଡ଼ିକାଲ କର୍ତୃପକ୍ଷ ଜଣେ ବି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସନ୍ତାନର ଜନ୍ମ ପଞ୍ଜୀକରଣ ପାଇଁ ପଠାଇ ନାହାଁନ୍ତି ।
ଏହା ବ୍ୟତୀତ ୨୦୨୨ ମସିହା ଜାନୁଆରୀ ୧ରୁ ୨୦୨୨ ମସିହା ଡିସେମ୍ବର ୧ ପର୍ଯ୍ୟନ୍ତ କେହି ସେଭଳି ମାନସିୀକ ବିକାରଗ୍ରସ୍ତ ମହିଳା ପ୍ରସବ ପାଇଁ ଭର୍ତି ହୋଇନାହାଁନ୍ତି ବୋଲି ଏସସିବି ପକ୍ଷରୁ ସୂଚନା ଅଧିକାର ଆଇନ ବଳରେ ଦର୍ଶାଯାଇଛି । କିନ୍ତୁ ୨୦୨୨ ମସିହା ସେପ୍ଟେମ୍ବର ୮ତାରିଖରେ ଜଣେ ଅସହାୟ ମହିଳା ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ଚିକିତ୍ସିତ ହେଉଥିବା ଜଣାପଡ଼ିଥିଲା ।
ସେପ୍ଟେମ୍ବର ୧୨ ତାରିଖରେ ଏହି ମହିଳା ଡିସଚାର୍ଜ ହୋଇଥିଲେ । ପରେ ତାଙ୍କୁ ଏକ ଥଇଥାନ କେନ୍ଦ୍ରରେ ରଖାଯାଇଥିଲା । ସେଠାରୁ ସେ ୨୦୨୫ ଏପ୍ରିଲ ୧୩ ତାରିଖରେ ଗାଏବ ହୋଇ ଯାଇଥିଲେ । ସେହିଦିନ ସିଆରଆରଆଇ ଥାନାରେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା । ମହିଳା ଥଇଥାନ କେନ୍ଦ୍ରକୁ ଆସିବା ପୂର୍ବରୁ ନବଜାତ ଶିଶୁ କେଉଁଆଡ଼େ ଉଭାନ ହୋଇଯାଇଥିବା କୁହାଯାଉଛି ।
କେତେକ ସୂଚନା ଅଧିକାରୀ ଏ ସଂକ୍ରାନ୍ତ ତଥ୍ୟ ସାମନାକୁ ଆଣିବା ପରେ ହଇଚଇ ସୃଷ୍ଟି ହୋଇଛି । ଏ ନେଇ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ମହିଳା ଓ ଶିଶୁ ସୁରକ୍ଷା ବିଭାଗ ସଚିବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଯଦି ଏହାର ସଠିକ୍ ତଦନ୍ତ ଚାଲେ ତେବେ ବହୁ ରହସ୍ୟ ପଦାକୁ ଆସିବାର ସମ୍ଭାବନା ରହିଛି ।