ବାଲେଶ୍ୱରରେ କାଳବୈଶାଖୀ ତାଣ୍ଡବ
ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ବାଲେଶ୍ୱର ଜିଲାରେ କାଳବୈଶାଖୀର ତାଣ୍ଡବ ଅନେକଙ୍କୁ ଭୟଭୀତ କରି ପକାଇଛି ।
ମଙ୍ଗଳବାର ଅପରାହ୍ନରେ ହଠାତ୍ ପାଗ ପରିବର୍ତନ ହେବା ସହ ପ୍ରବଳ ବେଗରେ ପବନ, ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହୋଇଥିଲା ।
ଜିଲାର କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଥିବା ଜଣାପଡ଼ିଛି । ଅପରାହ୍ନ ପ୍ରାୟ ଅଢ଼େଇଟା ସମୟରେ ଆକାଶ ହଠାତ୍ କଳାହାଣ୍ଡିଆ ମେଘରେ ଢାଙ୍କି ହୋଇ ଯାଇଥିଲା । ଦିନ ବେଳେ ସନ୍ଧ୍ୟାର ଭ୍ରମ ସୃଷ୍ଟି ହୋଇଥିଲା ।
ପ୍ରବଳ ପବନ ସାଙ୍ଗକୁ ବର୍ଷା ଅନେକଙ୍କୁ ଭୟଭୀତ କରି ପକାଇଥିଲା । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ଝଡ଼ ସାଙ୍ଗକୁ କୁଆପଥର ବର୍ଷା ହେବାଦ୍ୱାରା କେତେକ ଟିଣ, ଚାଳ ଘର ନଷ୍ଟ ହୋଇଥିବାବେଳେ ଚାଷୀଙ୍କ ଫସଲରେ ବ୍ୟାପକ କ୍ଷତି ଘଟିଛି ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଗାମୀ ୨୪ଘଂଟା ଏଭଳି ଝଡ଼ବର୍ଷା ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ହୋଇପାରେ । ସେଥିପାଇଁ ଜିଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବଜ୍ରପାତରୁ ରକ୍ଷା ପାଇଁ ଲୋକଙ୍କୁ ପକ୍କା ଘର ଭିତରେ ରହିବାକୁ ଏବଂ ଗଛମୂଳେ ଆଶ୍ରୟ ନ ନେବାକୁ ପରାମର୍ଶ ଦିଆଯାଇଛି ।
ସେହିପରି କଟକ, ଭୁବନେଶ୍ୱର ଆଦି ଜିଲାର ବିିଭିନ୍ନ ସ୍ଥାନରେ ଝଡ଼ବର୍ଷା ହୋଇ ନଥିଲେ ବି ଆକାଶ ମେଘାଚ୍ଛନ୍ନ ରହିଥିବା ଦେଖାଯାଇଥିଲା ।