ଶ୍ରୀମନ୍ଦିରରେ ଦ୍ୱିତୀୟ ପର୍ଯ୍ୟାୟ ରତ୍ନଭଣ୍ଡାର ଗଣତିମଣତି ୮ରୁ
ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ଗତ ୨୫ତାରିଖରେ ଆରମ୍ଭ ହୋଇଥିବା ରତ୍ନ ଭଣ୍ଡାର ଗଣତିମଣତି ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ ହେବ ।
ବୁଧବାର (ଏପ୍ରିଲ ୮ତାରିଖ) ସକାଳୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଚଳନ୍ତି ରତ୍ନ ଗଣତି ହୋଇଥିବାବେଳେ ଆସନ୍ତାକାଲି (ବୁଧବାର) ବାହାର ଭଣ୍ଡାର ଖୋଲା ହେବ ।
ଏହା ଲଗାତର ୪ଦିନ ଧରି ୧୧ ତାରିଖ ଯାଏଁ ଚାଲିବ । ୧୨ତାରିଖ ରବିବାର ବନ୍ଦ ରହି ପୁଣି ୧୩ତାରିଖରେ ହେବ । ୧୪ ଓ ୧୫ତାରିଖ ଦୁଇଦିନ ବନ୍ଦ ରହିବା ପରେ ୧୬ରୁ ୧୮ତାରିଖ ଲଗାତର ତିନିଦିନ ଜାରି ରହିବ । ଏହା ପରେ କେବେ ଗଣତି ହେବ ସେ ବିଷୟରେ ଆଲୋଚନା ହେବା ପରେ ତାରିଖ ଧାର୍ଯ୍ୟ ହେବ । ଗଣତି ପ୍ରକ୍ରିୟା ଚାଲିଥିବାବେଳେ ଶ୍ରୀଜୀଉଙ୍କ ନୀତିରେ ବ୍ୟାଘାତ ଘଟିବ ନାହିଁ ।
ସୁରକ୍ଷା ଦୃଷ୍ଟିରୁ ଭକ୍ତଙ୍କୁ ବାହାର କାଠ ନିକଟରେ ଦର୍ଶନ କରିବାକୁ ସୁଯୋଗ ଦିଆଯିବ । ଭିତର କାଠ ନିକଟରୁ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ । ଅଧିକୃତ ପାଳିଆ ସେବକମାନେ ଜଗମୋହନ ଓ ଗର୍ଭଗୃହକୁ ନୀତି ସମ୍ପାଦନ ନିମନ୍ତେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବେ ।
ଏଥିପାଇଁ ପାଳିଆ ସେବକମାନଙ୍କୁ ସ୍ୱତନ୍ତ୍ର ପାସ ବ୍ୟବସ୍ଥା କରାଯାଇଛି । ଆଜିଠାରୁ ପାସ ବଂଟାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପୂର୍ବଦିନମାନଙ୍କ ଭଳି ରତ୍ନଭଣ୍ଡାର ଗଣତି କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ ପାଇଁ ନିବେଦନ କରିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଗତ ୨୫ତାରିଖ ଦିନ ରତ୍ନ ଭଣ୍ଡାର ଗଣତି ଆରମ୍ଭ ହୋଇଥିଲା ।
ପ୍ରଥମ ଦିନରେ ଚଳନ୍ତି ଭଣ୍ଡାରର ରତ୍ନ ସବୁ ଗଣାଯାଇ ୧୯୭୮ ମସିହା ତାଲିକା ସହ ମେଳ କରାଯାଇଥିଲା । ଅଳଂକାର ସବୁକୁ ଅଲଗା ଅଲଗା ସିନ୍ଧୁକରେ ରଖାଯିବା ସହ ସବୁ ରତ୍ନର ସୂଚୀ ପ୍ରସ୍ତୁତ କରାଯାଇଥିଲା ।
୧୨ଟା ୯ରୁ ସନ୍ଧ୍ୟା ୬ଟା ୧୦ ପର୍ଯ୍ୟନ୍ତ ଦୀର୍ଘ ୬ଘଂଟା ଧରି ଚାଲିଥିବା ଏହି ପ୍ରଥମ ଦିନର ଗଣତି ପ୍ରକ୍ରିୟା ସରିବା ପରେ ଭଣ୍ଡାର ମେକାପଙ୍କୁ ଏହି ରତ୍ନସବୁ ମଣତି କରାଯାଇଥିଲା ।
ରତ୍ନଗୁଡ଼ିକର ଓଜନ କରାଯିବା ସହ ପ୍ରଥମ ଥର ପାଇଁ ମୁଖ୍ୟ ଅଳଂକାରଗୁଡ଼ିକର ୩ଡି ମ୍ୟାପିଂ କରାଯାଇଥିଲା ।