ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରୁ ଧୂଆଁ
ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା କର୍ଣ୍ଣାଟକ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ଦୁଇଟି ଏସି କୋଚରୁ ଗୁରୁବାର ଧୂଆଁ ଏବଂ ନିଆଁ ବାହାରିବା ଦେଖି ସାଧାରଣ ଯାତ୍ରୀ ଆତଙ୍କିତ ହୋଇପଡ଼ିଥିଲେ ।
ମଥୁରା ଜଂଙ୍କସନ ନିକଟରେ ଏହି ଘଟଣା ଘଟିଥିଲା । ପରେ ଜରୁରୀକାଳୀନ ଭାବେ ଟ୍ରେନକୁ ଅଟକା ଯାଇଥିଲା । ରିପୋର୍ଟ ଅନୁସାରେ ଟ୍ରେନ୍ଟି ମଥୁରା ଜଂଙ୍କସନ ନିକଟରେ ପହଂଚିବା ମାତ୍ରେ ଯାତ୍ରୀମାନେ ବି-୧ ଓ ବି-୪ ଡବାରୁ ଧୂଆଁ ବାହାରିବା ଦେଖିପାରିଥିଲେ ।
କୋଚଟି ଧୂଆଁରେ ଭର୍ତି ହୋଇଯିବାଦ୍ୱାରା ସାଧାରଣ ଯାତ୍ରୀ ଆତଙ୍କିତ ହେବା ସହ ଶ୍ୱାସକଷ୍ଟରେ ପଡ଼ିଥିଲେ । ଟ୍ରେନ୍ଟି ଅଟକିବା ସଙ୍ଗେ ସଙ୍ଗେ ଯାତ୍ରୀମାନେ ବାହାରକୁ ବାହାରି ଆସିବାରେ ସମର୍ଥ ହୋଇଥିଲେ ।
ଟ୍ରେନ୍ କର୍ମଚାରୀ ଓ ଚାଳକଙ୍କୁ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିବା ପରେ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଖବର ଦିଆଯାଇଯିବାଦ୍ୱାରା ବୈଷୟିକ ଦଳ, ଅଗ୍ନିଶବ ବାହିନୀ ଆସି ବାହାରୁଥିବା ଧୂଆଁ ଓ ଅଗ୍ନି ସ୍ଫୁଲିଙ୍ଗକୁ ଅଟକାଇଥିଲେ ।
ପ୍ରାରମ୍ଭିକ ରିପୋର୍ଟ ଅନୁସାରେ କୋଚରୁ ଧୂଆଁ ବାହାରୁଥିବା ଦେଖି ନିଆଁ ଲାଗିଥିବା ସନେ୍ଦହ କରାଯାଇଥିଲା । ରେଳ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।
ତେବେ ଅଗ୍ନିକାଣ୍ଡ ପ୍ରକୋପ ରୂପ ଧାରଣ କରିବା ପୂର୍ବରୁ ଯାତ୍ରୀମାନେ ଅବଗତ ହେବାଦ୍ୱାରା ଏକ ବଡ଼ ଧରଣର ଦୁର୍ଘଟଣାରୁ ଟ୍ରେନ୍ ଓ ଟ୍ରେନ୍ ଯାତ୍ରୀମାନେ ବର୍ତି ଯାଇଛନ୍ତି ।
ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଂଚି ଅନୁସନ୍ଧାନ ଚଳାଇଛନ୍ତି । ତେବେ ଆଜିର ଘଟଣାରେ କୌଣସି ମୃତାହତ ଘଟଣା ଜଣାପଡ଼ିନାହିଁ ।
ସମ୍ଭବତଃ ସର୍ଟ ସର୍କିଟ୍ ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ରେଳ ଅଧିକାରୀମାନେ ଅନୁମାନ କରୁଛନ୍ତି ।