ଗ୍ୟାଙ୍ଗଷ୍ଟର ରାଓ ଇନ୍ଦ୍ରଜିତ ଦୁବାଇରୁ ଗିରଫ
ହରିୟାଣା ଓ ଉତର ପ୍ରଦେଶ ପୁଲିସର ନିଦ ହଜାଇ ଦେଇଥିବା ଅପରାଧୀ ରାଓ ଇନ୍ଦ୍ରଜିତ ଯାଦବ ଗୁରୁବାର ଦୁବାଇରୁ ଗିରଫ ହୋଇଛି ।
୨୦୨୪ ରୋହତକ ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିବା ଏହି ଗ୍ୟାଙ୍ଗଷ୍ଟରକୁ ଭାରତକୁ ପ୍ରତ୍ୟାର୍ପଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହାକୁ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି ।
ହତ୍ୟା, ଶହଶହ କୋଟିର ବେଆଇନ୍ ଋଣ କାରବାର ଓ ବଟି ଆଦାୟ ଭଳି ୧୫ରୁ ଅଧିକ ସଂଗୀନ ମାମଲା ତା’ ନାମରେ ରହିଛି ।
ଅପରାଧର ଏହି କଳା ଦୁନିଆକୁ ଇନ୍ଦ୍ରଜିତ ଗ୍ଲାମରର ମୁଖା ପିନ୍ଧାଇ ସଜାଇଥିଲା । ସାମାଜିକ ଗଣମାଧ୍ୟମରେ ୧୫ଲକ୍ଷରୁ ଅଧିକ ଫଲୋଅର୍ସ ଏବଂ ଜେମ୍ସ ଟ୍ୟୁନ୍ସ ଭଳି ମ୍ୟୁଜିକ କମ୍ପାନୀର ମାଲିକାନା ଜରିଆରେ ସେ ନିଜର ପ୍ରଭାବ ବିସ୍ତାର କରୁଥିଲା ।
ବଲିଉଡ ସେଲିବ୍ରେଟିଙ୍କ ସହ ତାର ସମ୍ପର୍କ ଓ ବିଳାସପୂର୍ଣ୍ଣ ଜୀବନଶୈଳୀ ପଛରେ ପ୍ରବର୍ତନ ନିର୍ଦେଶାଳୟ (ଇଡି) ବ୍ୟାପକ ମନି ଲଣ୍ଡରିଂର ସନ୍ଧାନ ପାଇଛି ।
ଗୁରୁଗ୍ରାମ ଓ ଦିଲ୍ଲୀରେ ହୋଇଥିବା ଚଢ଼ଉରୁ ତାର ଅପରାଧିକ ନେଟୱାର୍କର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ଗାୟକ ରାହୁଳ ଫାଜିଲପୁରିଆଙ୍କ ସହଯୋଗୀଙ୍କ ହତ୍ୟା ଏବଂ ପ୍ରସିଦ୍ଧ ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରକୁ ଗୁଳିମାଡ଼ ଭଳି ଘଟଣାରେ ଇନ୍ଦ୍ରଜିତର ସଂପୃକ୍ତି ପଦାକୁ ଆସିବା ପରେ ପୁଲିସ ତାକୁ ଖୋଜୁଥିଲା ।
ବର୍ତମାନ ଦୁବାଇ କର୍ତୃପକ୍ଷଙ୍କ ସହଯୋଗରେ ତାକୁ ଭାରତ ଆଣିବା ପାଇଁ ସମସ୍ତ ଆଇନଗତ ଦସ୍ତାବେଜ ପ୍ରସ୍ତୁତ କରାଯାଉଛି ।