ତୃତୀୟ ଭାଷା ମଡ଼େଲ ଚାଲୁ କରିବାକୁ ସିବିଏସଇର ନିର୍ଦେଶ
୭ଦିନ ମଧ୍ୟରେ ଷଷ୍ଠ ଶ୍ରେଣୀରେ ପ୍ରଚଳନ କରିବାକୁ ହେବ
୨୦୨୬-୨୭ ଶିକ୍ଷାବର୍ଷରେ ସିବିଏସଇ ବୋର୍ଡ ଅଧିନସ୍ଥ ସମସ୍ତ ସ୍କୁଲରେ ଷଷ୍ଠ ଶ୍ରେଣୀରେ ତୃତୀୟ ଭାଷା ବା ଆର-୩ ମଡେଲର ପାଠପଢ଼ା ଚାଲୁ କରିବାକୁ ସିବିଏସଇ ନିର୍ଦେଶ ଦେଇଛି ।
୭ଦିନ ମଧ୍ୟରେ ସ୍କୁଲଗୁଡ଼ିକରେ ଏହି ନିୟମ ଲାଗୁ କରିବାକୁ କୁହାଯାଇଛି । ଆଜି ଏ ସମ୍ପର୍କିତ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦକ୍ଷେପକୁ ଜରୁରୀ ଓ ବାଧ୍ୟତାମୂଳକ ଭାବେ ଆଖ୍ୟା ଦେବାକୁ ବୋର୍ଡ ଉଲ୍ଲେଖ କରିଛି ।
ସିବିଏସଇ ତରଫରୁ ନୋଟିସ ମାଧ୍ୟମରେ ଅବଗତ କରାଯାଇଛି ଯେ ବହୁ ସ୍କୁଲରେ ଆର-୩ ବାସ୍ତବ ରୂପ ନେଇପାରି ନାହିଁ । ତେବେ ସମସ୍ତ ସ୍କୁଲ ଯେପରି ଏହା ଅଧିନରେ ଅନ୍ତର୍ଭୁକ୍ତ ହୋଇପାରେ ସେଥିପ୍ରତି ନଜର ଦେବାକୁ ହେବ ।
ଯାହାଦ୍ୱାରା ତୃତୀୟ ଭାଷାରେ ପାଠପଢ଼ା ଜାରି ରହିବ । ଯଦିଓ ଏହି ପାଠପଢ଼ା ନିମନ୍ତେ କୌଣସି ପାଠ୍ୟ ପୁସ୍ତକ ପ୍ରକାଶ ପାଇପାରି ନାହିଁ, ତଥାପି ଯେପର୍ଯ୍ୟନ୍ତ ଏହି ବହି ମିଳୁନାହିଁ, ସେ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ସ୍ଥାନୀୟ ଭାବେ ଉପଲବ୍ଧ ଉପକରଣ ବ୍ୟବହାର କରି ଶିକ୍ଷାଦାନ କରିବାକୁ ହେବ ।
ବିଜ୍ଞପ୍ତିରେ ଆହୁରି ଉଲ୍ଲେଖ କରାଯାଇଛି ଯେ ଆର-୩ ପାଠ୍ୟପୁସ୍ତକ ଯେପରି ଶୀଘ୍ର ଉପଲବ୍ଧ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି । ବିଦ୍ୟାଳୟଗୁଡ଼ିକ ଯେପରି ତୃତୀୟ ଭାଷା ସମ୍ପର୍କରେ ପିଲାଙ୍କୁ ବୁଝାଇବେ ସେଥିପାଇଁ ଓଏଏସଆଇଏସ ପୋର୍ଟଲ ବ୍ୟବହାର କଲେ ଜାଣିପାରିବେ ।
ଏହି କାର୍ଯ୍ୟକ୍ରମ ଆଂଚଳିତ କାର୍ଯ୍ୟାଳୟଗୁଡ଼ିକ ଦ୍ୱାରା ପର୍ଯ୍ୟବେକ୍ଷଣ କରାଯିବ । ଆହୁରି କୁହାଯାଇଛି ଯେ ତୃତୀୟ ଭାଷା ପାଠପଢ଼ା ନେଇ ସିବିଏସଇ ଅବଗତ କରିଛି ଯେ କୌଣସି ସ୍କୁଲ କର୍ତୃପକ୍ଷ ଷଷ୍ଠ ଶ୍ରେଣୀରେ ଚାଲୁ କରିଥିବା କେବଳ ମାତ୍ର ଆର-୩ ଭାଷାଗୁଡ଼ିକ ସେହି ସ୍କୁଲର ନବମ ଓ ଦଶମ ଶ୍ରେଣୀରେ ଅପ୍ସନାଲ (ଐଚ୍ଛିକ) ବିଷୟ ହିସାବରେ ଗ୍ରହଣ କରିପାରିବେ ।
ବୋର୍ଡ଼ର ବକ୍ତବ୍ୟ ଯେ ଏହାର ଲକ୍ଷ୍ୟ ହେଉଛି ଶିକ୍ଷାର୍ଥୀଙ୍କ ମଧ୍ୟରେ ଭାଷାଗତ ଦକ୍ଷତା, ସାଂସ୍କୃତିକ ବୁଝାମଣା ଏବଂ ଜାତୀୟ ସଂହତି ବୃଦ୍ଧି କରିବା ।