ତାଲିକାରୁ ୯୦ଲକ୍ଷରୁ ଅଧିକ ଭୋଟରଙ୍କୁୁ ବାଦ : ମମତା
ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଆଗାମୀ ୨୩ ଓ ୨୯ରେ ହେବାକୁ ଥିବାବେଳେ ଫଳଘୋଷଣା ମେ ୪ତାରିଖରେ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି ।
ଏଭଳି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ବିରୋଧରେ କେତେକ ଅଭିଯୋଗ ଆଣିଥିବା ଦେଖାଯାଇଛି ।
ସେ ଅଭିଯୋଗ କରି କହିଛନ୍ତି ଯେ ବିଜେପି ରାଜ୍ୟରେ କ୍ଷମତା ଦଖଲ ଚେଷ୍ଟା ରହିଛି, ଯେଉଁଥିପାଇଁ ଏସଆଇଆର ପ୍ରକ୍ରିୟା ମାଧ୍ୟମରେ ଭୋଟର ତାଲିକାରୁ ୯୦ଲକ୍ଷରୁ ଅଧିକ ଲୋକଙ୍କ ନାମ କାଟି ଦିଆଯାଇଛି ।
ତେବେ ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିବା ନିଶ୍ଚିତ ବୋଲି ସେ ଦୃଢ଼ୋକ୍ତିର ସହ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ଉତର ୨୪ପ୍ରଗଣାର ମିନାଖାନରେ ଏକ ରାଲିରେ ଉଦ୍ବୋଧନ ଦେଇ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଯେଉଁମାନଙ୍କ ନାମ ତାଲିକାରୁ କାଟି ଦିଆଯାଇଛି, ସେମାନଙ୍କୁ ପୁଣି ଥରେ ତାଲିକାରେ ଯୋଡ଼ିବା ପାଇଁ ଦଳ ଅଦାଲତର ଦ୍ୱାରସ୍ଥ ହେବ ।
କାରଣ ପଶ୍ଚିମବଙ୍ଗରେ କ୍ଷମତା ପାଇବା ଆଶାରେ ବିଜେପି ଏଭଳି ଅଧିକ ସଂଖ୍ୟକ ଭୋଟରଙ୍କ ନାମ ତାଲିକାରୁ ବାଦ ଦେଇଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଏସଆଇଆର ପ୍ରକ୍ରିୟା ଶେଷ ହେବା ପରେ ପାଖାପାଖୀ ୯୧ ଲକ୍ଷ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି ।
ବିଭିନ୍ନ ବିଜେପି ଶାସିତ ରାଜ୍ୟରେ ବଙ୍ଗଭାଷୀଙ୍କୁ ବାଂଲାଦେଶୀ କହି ନିର୍ଯ୍ୟାତନା ଦିଆଯାଉଛି, ଯାହାକି ଅଧିକ ଦିନ ବରଦାସ୍ତ କରାଯିବ ନାହିଁ ବୋଲି ସେ ସୂଚାଇଛନ୍ତି ।
ତାଙ୍କର ଅଭିଯୋଗ କେତେକ ସାଂପ୍ରଦାୟିକ ଦଳ ଏଭଳି କରି ସାଧାରଣଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚାହୁଁଛନ୍ତି ।