ପୋଖରୀରେ ବୁଡ଼ି ୩ ନାବାଳିକା ମୃତ
ପୋଖରୀରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ୩ଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି ।
ଘଟଣାକୁ କେନ୍ଦ୍ରକରି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୁର୍ସି ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ମୃତ ତିନିଜଣଙ୍କ ମଧ୍ୟରେ ଦୁଇଜଣ ଭଉଣୀ ଥିଲେ ।
ମୃତ ତିନି ନାବାଳିକାଙ୍କ ପରିଚୟ ରାଜମନ ଗଣ୍ଡଙ୍କ ଦୁଇ ଝିଅ ସନ୍ଧ୍ୟା ଓ ସନ୍ଧିତା ଏବଂ ବାଲସାଇ ଗଣ୍ଡଙ୍କ ଝିଅ ଭୂମିକା ।
ମୃତକଙ୍କ ମଧ୍ୟରୁ ଦୁଇଜଣଙ୍କ ବୟସ ୬ ବର୍ଷ ହୋଇଥିବାବେଳେ ଜଣଙ୍କର ୫ବର୍ଷ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି ।
ସୂଚନା ଅନୁସାରେ ତିନିଜଣ ନାବାଳିକା ସାଙ୍ଗ ହୋଇ ଘର ନିକଟ ଏକ ପୋଖରୀରେ ଗାଧୋଇବାକୁ ଯାଇଥିଲେ । ପୋଖରୀରେ ଗାଧୋଉଥିବାବେଳେ ହଠାତ୍ ବୁଡ଼ିଯାଇଥିଲେ ।
ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକମାନେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହାସପାତାଳକୁ ନେଇଥିଲେ ସୁଦ୍ଧା ସେମାନଙ୍କ ମୃତ୍ୟୁ ଘଟିଛି ବୋଲି ଡାକ୍ତର କହିଥିଲେ ।
ଘଟଣାକୁ କେନ୍ଦ୍ର କରି ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ତିନିଜଣ ନାବାଳିକା ଏକ ସଙ୍ଗରେ କିପରି ବୁଡ଼ିଗଲେ ତାହା ନେଇ ପୁଲିସ ଅନୁସନ୍ଧାନ ଜାରି ରଖିଛି ।