ଲୋକସଭା ଭବନର ଏସି ଚୋର ଗିରଫ
ରାଜଧାନୀ ଭୁବନେଶ୍ୱରରେ ଚୋରଙ୍କ ଉତ୍ପାତ ଥମୁନି । ଏମିତି ତ ଚୋର ଦୋକାନବଜାର, ଘରୁ ଚୋରି କରିଥାନ୍ତି; କିନ୍ତୁ ଖୋଦ ଯେଉଁଠି ମନ୍ତ୍ରୀ, ବିଧାୟକଙ୍କ ବସାଉଠା ସେଠାରୁ ଚୋରି ହେବା କଥାଟା ଶୁଣିଲେ ଟିକେ ତାଜୁବ ଲାଗୁଛି । ହେଲେ ଏହା ସତ ।
ଓଡ଼ିଶାର ଲୋକସେବା ଭବନରୁ ଦୀର୍ଘ ବର୍ଷ ଧରି ଏସି ଚୋରି କରିଆସୁଥିବା ଦୁଇ ପେଶାଦାର ଚୋରଙ୍କୁ କ୍ୟାପିଟା ଥାନା ପୁଲିସ କାବୁ କରିଛି । ଗତ ନଭେମ୍ବର ୨୦୨୫ରୁ ମାର୍ଚ ୨୦୨୬ ମଧ୍ୟରେ ଏହି ଦୁଇ ପେଶାଦାର ଚୋର ପର୍ଯ୍ୟାୟକ୍ରମେ ଲୋକସଭା ଭବନରେ ଲାଗିଥିବା ଏସି ଏହାର ବିଭିନ୍ନ ଯନ୍ତ୍ରପାତି ଯଥା କମ୍ପ୍ରେସର, ମୂଲ୍ୟବାନ ତମ୍ବା ତାର ବା ପାତିଆକୁ ଚୋରି କରିଆସୁଥିଲେ ।
ଗିରଫ ଅଭିଯୁକ୍ତଦ୍ୱୟ ହେଉଛନ୍ତି ନିଶ୍ଚିନ୍ତକୋଇଲି ଅଂଚଳର ମନୋଜ କୁମାର ଦାସ ଓ ଯାଜପୁର ବିଂଝାରପୁର ଅଂଚଳର ଚନ୍ଦନ ମଲିକ । ଏ ଦୁହେଁ ଏସି ମରାମତି କରିବା ଆଳରେ ଲୋକସଭା ଭବନର ଅର୍ଥବିଭାଗର ଛାତ, ତଳ ମହଲା, ଉପସଚିବଙ୍କ ଚ୍ୟାମ୍ବରରେ ସ୍ଥାପିତ ୭ଟି ଏସିର କମ୍ପ୍ରେସର ଓ ତମ୍ବାପାଇପକୁ ଚୋରି କରିନେଇଥିଲେ ।
ଏହା ଜଣାପଡ଼ିବା ପରେ ତଦନ୍ତବେଳେ ସଚିବାଳୟର ସୁରକ୍ଷାକର୍ମୀମାନେ ଗାର୍ଡରୁମ ନିକଟରେ ଅଭିଯୁକ୍ତଦ୍ୱୟଙ୍କ ଖାନତଲାସୀ ସମୟରେ ଏସିର ଯନ୍ତ୍ରପାତି, କମ୍ପ୍ରେସର ଓ ତମ୍ବାପାଇପକୁ ଜବତ କରି ଦୁହିଁଙ୍କୁ ନେଇ ପଚରା ଉଚରା କରିଥିଲେ ।
ସେମାନେ ଏହି ଚୋରି କରିଥିବା ସ୍ୱୀକାର କରିବା ପରେ ପୁଲିସ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି ।