ଖାଦ୍ୟ ପଦାର୍ଥରେ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର
କେବଳ ଚେର ବ୍ୟବହାର ପାଇଁ ଅନୁମତି
ଅଶ୍ୱଗନ୍ଧା ବ୍ୟବହାରକୁ ନେଇ ‘ଏଫଏସଏସଏଆଇ’ର ବଡ଼ ନିଷ୍ପତି ହୋଇଛି । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନବ ପ୍ରାଧିକରଣ ସ୍ୱାସ୍ଥ୍ୟ ସପ୍ଲିମେଂଟରେ ଅଶ୍ୱଗନ୍ଧା ପତ୍ର ଏବଂ ଏହାର ନିର୍ଯାସ ବ୍ୟବହାର ଉପରେ କଟକଣା ଲଗାଇଛି ।
କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଉଠାଯାଇଥିବା ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ନୂତନ ନିର୍ଦେଶାବଳୀ ମାଧ୍ୟମରେ ଏଫଏସଏସଏଆଇ ସ୍ପଷ୍ଟ କରିଛି ଯେ ସ୍ୱାସ୍ଥ୍ୟ ସପ୍ଲିମେଂଟ ଏବଂ ନ୍ୟୁଟ୍ରାସିଉଟିକାଲ ଉତ୍ପାଦରେ କେବଳ ଅନୁମୋଦିତ ରୂପରେ ହିଁ ଅଶ୍ୱଗନ୍ଧାର ବ୍ୟବହାର କରାଯାଇପାରିବ ।
ଏଫଏସଏସଏଆଇ ନିର୍ଦେଶାନାମା ଅନୁଯାୟୀ ଖାଦ୍ୟ ସୁରକ୍ଷା ଏବଂ ମାନକ ନିୟମାବଳୀର ଅନୁସୂଚୀ ଆଇଭି ଅଧୀନରେ କେବଳ ଅଶ୍ୱଗନ୍ଧା ଚେର ଏବଂ ଏହାର ନିର୍ଯାସ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।
ଉତ୍ପାଦନକାରୀ କମ୍ପାନୀମାନେ କେବଳ ଅଶ୍ୱଗନ୍ଧା ଗଛର ଚେର ବ୍ୟବହାର କରିପାରିବେ । କାରଣ ଏହା ନିର୍ଦିଷ୍ଟ ପରିମାଣରେ ସେବନ ପାଇଁ ସୁରକ୍ଷିତ ବୋଲି ପ୍ରମାଣିତ ହୋଇଛି ।
ଅନ୍ୟପକ୍ଷରେ ଅଶ୍ୱଗନ୍ଧା ପତ୍ର କିମ୍ବା ପତ୍ରରୁ ପ୍ରସ୍ତୁତ ନିର୍ଯାସ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି ଯେ ଚେର ତୁଳନାରେ ଅଶ୍ୱଗନ୍ଧା ପତ୍ର ସ୍ୱାସ୍ଥ୍ୟ ପାଇଁ ସେତେଟା ସୁରକ୍ଷିତ ନୁହେଁ । କାରଣ ଏଥିରେ ୱିଥାଫେରିନ-ଏ ପରି କିଛି ଶକ୍ତିଶଳୀ ତଥା କ୍ଷତିକାରକ ଯୌଗିକ ଉଚ୍ଚ ମାତ୍ରାରେ ରହିଥାଏ ।
କିଛି କମ୍ପାନୀ ସେମାନଙ୍କ ଉତ୍ପାଦନରେ ଅଶ୍ୱଗନ୍ଦା ପତ୍ରର ବ୍ୟବହାର କରୁଥିବା ନେଇ ଏଫଏସଏସଏଆଇ ନିକଟରେ ଅଭିଯୋଗ ହୋଇଥିଲା । ଏହା ପରେ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ କୌଣସି ବି ରୂପରେ ପତ୍ରର ବ୍ୟବହାର ଗ୍ରହଣୀୟ ନୁହେଁ । ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଏଫଏସଏସଏଆଇ ସମସ୍ତ ଖାଦ୍ୟ ବ୍ୟବସାୟ ଅପରେଟରମାନଙ୍କୁ ନିର୍ଦେଶ ଦେଇଛି ।
ଯଦି କୌଣସି ସଂସ୍ଥା ଏହି ନିୟମ ଉଲ୍ଲଙ୍ଘନ କରେ, ତେବେ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ ୨୦୦୬ ଅନୁସାରେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହି ପ୍ରସଙ୍ଗରେ ତୀକ୍ଷ୍ମ ନଜର ରଖିବାକୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ଲାଇସେନ୍ସପ୍ରଦାନକାରୀ କର୍ତୃପକ୍ଷ ତଥା ଖାଦ୍ୟ ସୁରକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି ।