ମହିଳା କମିଶନଙ୍କୁ ପାଲଟା ଚ୍ୟାଲେଞ୍ଜ କରି ଚର୍ଚାରେ ପପୁ ଯାଦବ
ସମ୍ବିଧାନର ୧୩୧ତମ ସଂଶୋଧନ ବିଲ (ମହିଳା ସଂରକ୍ଷଣ ଓ ସୀମା ନିର୍ଦ୍ଦାରଣ) ସଂସଦରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଅଭାବରୁ କାଟ ଖାଇବା ପରେ ବୁଧବାର ପୁର୍ଣ୍ଣିଆ ସାଂସଦ ପପୁ ଯାଦବ ଦେଇଥିବା ଏକ ବିସ୍ଫୋୟକ ବୟାନ ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଛି ।
ମହିଳା ରାଜନେତାଙ୍କ ଶେଷଣକୁ ନେଇ ପୂର୍ବରୁ ବିବାଦୀୟ ମନ୍ତବ୍ୟ ଦେଇଥିବା ଶ୍ରୀ ଯାଦବ ଏବେ ମହିଳା କମିସନଙ୍କ ନୋଟିସରେ କ୍ଷୁବ୍ଧ ହୋଇ ପାଲଟା ଅଭିଯୋଗ କରିଛନ୍ତି ଯେ ଦେଶର ୭୦ରୁ ୮୦ପ୍ରତିଶତ ରାଜନେତା ପର୍ଣ୍ଣ (ଅଶ୍ଳିଳ ଫିଲ୍ମ) ଦେଖନ୍ତି । ସେ ସିଧାସଳଖ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ସନେ୍ଦହ ଅଛି ତେବେ ତାଙ୍କ ସମେତ ସମସ୍ତ ନେତାଙ୍କ ଫୋନ ଯାଂଚ କରାଯାଉ ।
ପ୍ରକୃତ ସତ୍ୟ ସାମ୍ନାକୁ ଆସିଯିବ । ପପୁ ଯାଦବ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ବଜାୟ ରଖି କହିଛନ୍ତି ଯେ ଭାରତୀୟ ସମାଜରେ ମହିଳାଙ୍କୁ ଦେବୀ ସ୍ଥାନ ଦିଆଯାଇଥାଏ ସତ, କିନ୍ତୁ ବାସ୍ତବରେ ସେମାନଙ୍କୁ ସଠିକ୍ ସମ୍ମାନ ମିଳି ନଥାଏ । ୯୦ପ୍ରତିଶତ ମହିଳା ଜଣେ ପୁରୁଷ ନେତାଙ୍କ ରୁମକୁ ନ ଯାଇ ରାଜନୀତି କରିପାରିବେ ନାହିଁ ବୋଲି ମଙ୍ଗଳବାର ଦେଇଥିବା ବୟାନକୁ ସେ ପୁନର୍ବାର ଦୋହରାଇଛନ୍ତି ।
ତାଙ୍କ ମତରେ ପୁରୁଷ ନେତାମାନେ ମହିଳାମାନଙ୍କୁ ଶୋଷଣ ନ କରି ସେମାନଙ୍କୁ ଆଗକୁ ବଢ଼ିବାକୁ ଦିଅନ୍ତି ନାହିଁ । ଯେତେବେଳେ ୧୫୫ଜଣ ପୁରୁଷ ନେତାଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାରେ ଚାର୍ଜସିଟ ଦାଖଲ ହୋଇଛି, ସେତେବେଳେ ମହିଳା କମିସନ ତାଙ୍କୁ କାହିଁକି ଟାର୍ଗେଟ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଯେଉଁମାନେ କାଚଘରେ ରହୁଛନ୍ତି ସେମାନେ ଅନ୍ୟ ଉପରକୁ ପଥର ଫିଙ୍ଗିବା ଅନୁଚିତ ବୋଲି କହି ସେ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ।
ମହିଳା ସଂରକ୍ଷଣ ବିଲକୁ ନେଇ ଦେଶରେ ଚାଲିତିବା ତର୍କ ମଧ୍ୟରେ ସାଂସଦଙ୍କ ଏହି ଅଶାଳୀନ ମନ୍ତବ୍ୟ ରାଜନୈତିକ ସ୍ତରକୁ ଏକ ନିମ୍ନ ସ୍ତରକୁ ନେଇଯାଇଛି । ଏହି ଘଟଣା ଏବେ କେବଳ ପପୁ ଯାଦବ ଓ ମହିଳା କମିଶନଙ୍କ ମଧ୍ୟରେ ସୀମିତ ନ ରହି ଏକ ବଡ଼ ଧରଣର ରାଜନୈତିକ ବିବାଦର ରୂପ ନେଇଛି । ବିଭିନ୍ନ ରାଜନୈତିକ ଦଳର ମହିଳା ନେତ୍ରୀମାନେ ସାଂସଦଙ୍କ ଏହି ମନ୍ତବ୍ୟକୁ ଅତ୍ୟନ୍ତ ରୁଚିହୀନ ଏବଂ ସମଗ୍ର ମହିଳା ସମାଜ ପ୍ରତି ଏକ ଅପମାନ ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ପପୁ ଯାଦବ ଦାବି କରିଛନ୍ତି ଯେ ମହିଳାମାନଙ୍କ ପାଇଁ ଲଢ଼େଇ ଜାରି ରଖିବେ ଏବଂ ରାଜନୈତିକ ବ୍ୟବସ୍ଥାରେ ଥିବା ପୁରୁଷ ନେତାମାନଙ୍କର ଅସଲ ମୁଖା ଖୋଲିବାକୁ ପଛେଇବେ ନାହିଁ ।
ସଂସଦରେ ମହିଳା ସଂରକ୍ଷଣ ବିଲ ପରାଜୟ ଏବଂ ସାଂସଦଙ୍କ ଏଭଳି ସାଂଘାତିକ ଆରୋପ ମଧ୍ୟରେ ଆଗାମୀ ଦିନରେ ଏହି ବିବାଦ ଆହୁରି ଉଗ୍ର ରୂପ ଧାରଣ କରିବାର ସମ୍ଭାବନା ଦେଖାଦେଇଛି ।