ଇସ୍ତଫା ଦେଲେ ନେପାଳ ଗୃହମନ୍ତ୍ରୀ
ସେୟାର ବଜାରରେ ନିବେଶ ଓ ଆର୍ଥିକ କାରବାରକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ନେପାଳର ଗୃହମନ୍ତ୍ରୀ ସୁଦାନ ଗୁରୁଙ୍ଗ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (ଆର୍ଏସପି) ନେତୃତ୍ାବଧୀନ ସରକାର ଗଠନ ହେବାର ମାତ୍ର କିଛି ସପ୍ତାହ ମଧ୍ୟରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଏଭଳି ବିବାଦରେ ଛନ୍ଦି ହୋଇ ଇସ୍ତଫା ଦେବା ଘଟଣ ଦେଶର ରାଜନୀତିରେ ହଟଚମଟ ସୃଷ୍ଟି କରିଛି ।
ଶ୍ରୀ ଗୁରୁଙ୍ଗ ସୋସିଆଲ୍ ମିଡ଼ିଆ ଜରିଆରେ ନିଜର ନିଷ୍ପତି ସମ୍ପର୍କରେ ଜଣାଇ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଏକ ନିରପେକ୍ଷ ତଦନ୍ତ ପାଇଁ ସେ ପଦତ୍ୟାଗ କରିଛନ୍ତି, ଯାହା ଫଳରେ ତଦନ୍ତ ପ୍ରକ୍ରିୟାରେ କୌଣସି ପାତର ଅନ୍ତର ହେବ ନାହିଁ ।
ଶ୍ରୀ ଗୁରୁଙ୍ଗ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପଦବୀ ଅପେକ୍ଷା ମୋ ପାଇଁ ନୈତିକତା ବଡ଼ ଏବଂ ଜନସାଧାରଣଙ୍କ ବିଶ୍ୱାସଠାରୁ କୌଣସି ଶକ୍ତି ବଡ଼ ନୁହେଁ । ସୁଶାସନ ଓ ସ୍ୱଚ୍ଛତା ପାଇଁ ଯୁବପିଢ଼ିଙ୍କ ଦାବିକୁ ସମ୍ମାନ ଜଣାଇ ସେ ଏହି ନିଷ୍ପତି ନେଇଥିବା କହିଛନ୍ତି ।
ତେବେ ଇସ୍ତଫା ଦେବା ପୂର୍ବରୁ ସେ ଏହି ଅଭେିଯାଗକୁ ଏକ ମିଡ଼ିଆ ଟ୍ରାୟଲ ବୋଲି କହିବା ସହ ସେ କୌଣସି ସୂଚନା ଲୁଚାଇବାକୁ ଚେଷ୍ଟା କରି ନାହାଁନ୍ତି ଏବଂ ଯେଉଁ ବ୍ୟକ୍ତି ଖୋଲାଖୋଲି ଭାବେ ୨ କୋଟିରୁ ଅଧି କଟଙ୍କାର ନିବେଶ ଘୋଷଣା କରି ସାରିଛନ୍ତି, ସେ କାହିଁକି ସାମାନ୍ୟ କିଛି ସେୟାର ବିଷୟରେ ମିଛ କହିବେ ବୋଲି ପ୍ରଶ୍ନ କରିଛନ୍ତି ।
ତାଙ୍କ ମତରେ ଏହା କେବଳ ଏକ ବର୍ଗୀକରଣ ତ୍ରୁଟି ହୋଇପାରେ । ତାଙ୍କର ସମସ୍ତ ନିବେଶ ସ୍ୱଚ୍ଛ ରହିଛି ।
ଦେଶର ରାଜକୋଷ ଉପରେ ନଜର ରଖିଥିବା ଲୋକମାନେ ଭୟଭୀତ ହୋଇ ଏଭଳି ଅପପ୍ରଚାର କରୁଛନ୍ତି ବୋଲି ସେ ପାଲଟା ଆକ୍ରମଣ କରିଛନ୍ତି ।