ବାଲି କାଢ଼ିଲେ ସୂର୍ଯ୍ୟ ମନ୍ଦିରକୁ ବିପଦ ନାହିଁ
ବିଶେଷଜ୍ଞଙ୍କ ବକ୍ତବ୍ୟ
ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବା ପ୍ରକ୍ରିୟା ପାଇଁ ଆଉ ପାଦେ ଆଗେଇଲେ ପ୍ରତ୍ନତତ୍ୱ ବିଭାଗ ।
ମାଡ୍ରାସ ଆଇଆଇଟି ଦ୍ୱାରା ମନ୍ଦିର ଗର୍ଭଗୃହରେ ଥିବା ବାଲିର ସ୍ଥିତି ଯାଂଚ ପରେ ରିପୋର୍ଟ ଦିଆଯାଇଛି । ବାଲି କାଢ଼େିଲେ ସୂର୍ଯ୍ୟ ମନ୍ଦିର ପ୍ରତି କୌଣସି ବିପଦ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଗତ ୨୦ ତାରିଖରୁ ମନ୍ଦିରର ପଶ୍ଚିମପଟେ ପ୍ରଥମ ପର୍ଯ୍ୟାୟରେ ଟନେଲ ନିର୍ମାଣ ଆରମ୍ଭ ହୋଇଛି । ସୂର୍ଯ୍ୟମନ୍ଦିର ମୁଖଶାଳର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ମନ୍ଦିର ପଶ୍ଚିମପଟେ ମନ୍ଦିର ପାଦଦେଶରୁ ୮୦ଫୁଟ ଉଚ୍ଚରେ ଟନେଲ ନିର୍ମାଣ ହେବା ପୂର୍ବରୁ ମନ୍ଦିର ଗର୍ଭଗୃହ ମଧ୍ୟରେ ଥିବା ବାଲିର ନମୂନା ଯାଂଚ ପାଇଁ ଆଇଆଇଟି ମାଦ୍ରାସ ଓ ଆଇଆଇଏମ ଭୁବନେଶ୍ୱର ପଠାାଇଥିଲା ।
ଏହି ନମୁନାର ଯାଂଚ ରିପୋର୍ଟ ଆସିବା ପରେ ମନ୍ଦିର ଗର୍ଭଗୃହକୁ ସୁରକ୍ଷିତ ଭାବେ ଟନେଲ ନିର୍ମାର କରି ବାଲି କଢ଼ା ଯାଇପାରିବ ବୋଲି ଜଣାପଡ଼ିଛି ।
ସୁରକ୍ଷିତ ବାଲି କାଢ଼ିବା ନିଷ୍ପତିକୁ କୋଣାର୍କ ସୁରକ୍ଷା ସମିତି ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଗର୍ଭଗୃହକୁ ସଂଯୋଗ ବାଟ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ।
ଗତ ୨୦ ତାରିଖରୁ ଟନେଲ ନିର୍ମାଣ ପାଇଁ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି । ପରେ ମାନୁଆଲ କିମ୍ବା ଅଟୋମେଟିକ ରୋବଟିକ ଟ୍ରଲି ପ୍ରବେଶ କରି ବାଲି କଢ଼ାଯିବ । ବାଲି କେବେ କଢ଼ାଯିବ ଏ ନେଇ ଠିକ୍ ତାରିଖ ଜଣାପଡ଼ିନାହିଁ ।
ଏ ସମ୍ପର୍କରେ ଏଏସଆଇ ପୁରୀ ସର୍କଲ ସହକାରୀ ସୁପରିଟେଣ୍ଡେଂଟ ଚିତରଞ୍ଜନ ଦାସ କହିଛନ୍ତି ଯେ ୨୦୨୫ ଡିସେମ୍ବର ୮ ତାରିଖରେ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ମଦ୍ରାସସ୍ଥିତ ଆଇଆଇଟିକୁ ପଠାଯାଇଥିଲା ।
ବର୍ତମାନ ମାଦ୍ରାସ ଆଇଆଇଟିରୁ ଆସିଥିବା ରିପୋର୍ଟରେ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିଲେ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି ଦର୍ଶାଯାଇଛି । ଗୁରୁବାର କେନ୍ଦ୍ରୀୟ ବିଶେଷଜ୍ଞ କମିଟି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ପରେ ବାଲି କଢ଼ା ପ୍ରକ୍ରିୟା ଆରମ୍ଭ କରାଯିବ ।