ଦୁର୍ଘଟଣାରେ ସ୍ୱାମୀର ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ
ଦୁର୍ଘଟଣାରେ ସ୍ୱାମୀର ମୃତ୍ୟୁ ପରେ ଜୀବନ ହାରିଛନ୍ତି ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗିରସ୍ଥିତ ଭୀମଭୋଇ ମେଡିକାଲ କଲେଜରେ ଘଟିଛି ।
ଏଠାରେ ଦୁର୍ଘଟଣାରେ ଶିକାର ହୋଇ ଗୁରୁତରଭାବେ ଚିକିତ୍ସାଧୀନ ଥିବା ସେବକ ବାଗଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ମି୍ରୟମାଣ ହୋଇ ତାଙ୍କ ସ୍ତ୍ରୀ ଭୀମଭୋଇ ମେଡିକାଲ କଲେଜର ସର୍ଜରୀ ୱାର୍ଡରୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି । ଏହି ଦମ୍ପତି ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଡୁମ୍ବେରବାହାଲ ଗାଁର ହୋଇଥିବା ସୂଚନା ମିଳିଛି ।
ଗତ ଗୁରୁବାର ବିଳମ୍ବି ରାତିରେ ବଲାଙ୍ଗିର-ସୋନପୁର ଛକରେ ଗୋଟିଏ ଅଜଣା ଗାଡ଼ି ଡୁମ୍ବେରବାହାଲ ଗାଁର ସେବକ ବାଗଙ୍କ ଅଟୋକୁ ଧକ୍କା ମାରିବାରୁ ସେ ଗୁରୁତର ହୋଇଥିଲେ ।
ତାଙ୍କୁ ଚିକିତ୍ସା ପାଇଁ ଭୀମଭୋଇ ମେଡିକାଲ କଲେଜର ସର୍ଜରୀ ୱାର୍ଡରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତୁ୍ୟ ଘଟିବା ପରେ ସ୍ତ୍ରୀ ହସ୍ପିଟାଲ ଛାତରୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି ।
ପ୍ରଶାସନ ପକ୍ଷରୁ ମୃତ ଦମ୍ପତିଙ୍କ ପରିବାରକୁ ୪୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ହରିଶ୍ଚନ୍ଦ୍ର ଯୋଜନାରେ ଶବ ସକ୍ରାର ପାଇଁ ଆଉ ୬ ହଜାର ଟଙ୍କା ମଧ୍ୟ ଦିଆଯାଇଛି ବୋଲି ବିଡିଓ କହିଛନ୍ତି ।
ସୂଚନାଥାଉ କି ମୃତ ଦମ୍ପତିଙ୍କ ୨ଟି ଛୋଟ ପିଲା ଅଛନ୍ତି ।