୧୫୨ରୁ ୧୧୦ଟି ଆସନ ପାଇବ ବିଜେପି : ଅମିତ ଶାହ
ଏପ୍ରିଲ ୨୩ରେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଯେଉଁଥିରେ ୯୧%ରୁ ଅଧିକ ହାରରେ ମତଦାନ ହୋଇଛି ।
ଏହି ରେକର୍ଡ ସଂଖ୍ୟକ ମତଦାନକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଥିବା ପରିଲକ୍ଷିତ ହୋଇଛି ।
ଏକ ପକ୍ଷରେ ଏସଆଇଆର ଯୋଗୁଁ ଏଭଳି ମତଦାନ ବୃଦ୍ଧି ପାଇଛି ବୋଲି ଶାସକ ଦଳ ତୃଣମୂଳ କଂଗ୍ରେସ କହୁଥିବାବେଳେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଦୃଢ଼ୋକ୍ତିର ସହ ବିଜେପି ବିଜୟ ହେବ ବୋଲି କହିବା ଆରମ୍ଭ କରିଛନ୍ତି ।
ତାଙ୍କର ବକ୍ତବ୍ୟ ଯେ ପ୍ରଥମ ପର୍ଯ୍ୟାୟ ଯେଉଁ ହାରରେ ମତଦାନ ହୋଇଛି, ସେଥିରୁ ସ୍ପଷ୍ଟ ଯେ ଶାସକ ଦଳ ତୃଣମୂଳ କଂଗ୍ରେସର ପରାଜୟ ନିଶ୍ଚିତ । ପ୍ରଥମ ପର୍ଯ୍ୟାୟରେ ଯେଉଁ ୧୫୨ଟି ଆସନରେ ମତଦାନ ହୋଇଛି, ସେଥିରୁ ୧୧୦ଟି ଆସନ ବିଜେପି ପକ୍ଷରେ ଯିବ ବୋଲି ଦୃଢ଼ୋକ୍ତିର ସହ କହିଛନ୍ତି ।
ଶ୍ରୀ ଶାହା ଆହୁରି କହିଛନ୍ତି ଯେ ପଶ୍ଚିମବଙ୍ଗରେ ଦିଦିଙ୍କ ବଦାୟ ଘଂଟି ବାଜି ଯାଇଛି । ରାଜ୍ୟରେ ଚାଲିଥିବା ଦୁର୍ନୀତି, ଅନୁପ୍ରବେଶ ଓ ହିଂସାର ଶାସନକୁ ସମାପ୍ତ କରି ଏକ ଭୟମୁକ୍ତ ପଶ୍ଚିମବଙ୍ଗ ଗଠନ କରିବା ହେଉଛି ବିଜେପିର ଲକ୍ଷ୍ୟ, ଯାହାକି ଆଗାମୀ ୪ତାରିଖରେ ବିଜେପି ହାସଲ କରିବାକୁ ଯାଉଛି ବୋଲି ଦୃଢ଼ୋକ୍ତିର ସହ ପ୍ରକାଶ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ ବିଜେପି ଜିତିଲେ ମାଟିର ପୁଅକୁ ମୁଖ୍ୟମନ୍ତ୍ରୀ ଭାବେ ଅଧିଷ୍ଠିତ କରାଯିବ । ତାଙ୍କର ବକ୍ତବ୍ୟ ଥିଲା ଯେ ପ୍ରଥମ ପର୍ଯ୍ୟାୟରେ ଯେଉଁ ହାରରେ ମତଦାନ ହୋଇଥିଲା ସେହି ହାର ଯେପରି ଦ୍ୱିତୀୟ ପର୍ଯ୍ୟାୟରେ ପରିଲକ୍ଷିତ ସେଥିପ୍ରତି ପ୍ରତ୍ୟେକ ନାଗରିକଙ୍କୁ ଗୁରୁତ୍ୱ ଦେବା ଆବଶ୍ୟକ ।
ସୂଚନାଯୋଗ୍ୟ ଯେ ଆଗାମୀ ଏପ୍ରିଲ ୨୯ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ରହିଥିବାବେଳେ ମେ ୪ତାରିଖରେ ଫଳ ଘୋଷଣା ରହିଛି । ଯାହାକୁ କେବଳ ରାଜ୍ୟବାସୀ ନୁହେଁ, ସମଗ୍ର ଦେଶ ଚାହିଁ ବସିଛି ।