‘ଆଧାର’ ପାଇଁ ନୂଆ ନିୟମ
ବୈଧ ବାସସ୍ଥାନ ପ୍ରମାଣପତ୍ର ବିନା ଆଧାର କାର୍ଡରେ ଠିକଣା ଅପଡେଟ କରିହେବ ନାହିଁ । ଫଳରେ ବ୍ୟାକିଂ କାର୍ଯ୍ୟ ସମେତ ବିଭିନ୍ନ କାର୍ଯ୍ୟ ଠପ୍ ହୋଇଯାଏ ।
ସରକାରୀ ଯୋଜନାର ଲାଭ ପାଇବା ମଧ୍ୟ କଷ୍ଟକର ହୋଇପଡ଼େ । ଏହି ସମସ୍ୟାର ସମାଧାନ ପାଇଁ ଭାରତୀୟ ଅନନ୍ୟ ପରିଚୟ ପ୍ରାଧୀକରଣ (ୟୁଆଇଡିଏଆଇ) ଏକ ନୂତନ ସୁବିଧା ଆରମ୍ଭ କରିଛି । ନୂତନ ନିୟମ ଅନୁଯାୟୀ ବ୍ୟକ୍ତିମାନେ ଏବେ ପରିବାର ମୁଖ୍ୟଙ୍କ ସମ୍ମତିରେ ସେମାନଙ୍କର ଆଧାର କାର୍ଡ ଠିକଣା ଅପଡେଟ୍ କରିପାରିବେ ।
ଏହି ଉଦେ୍ଦଶ୍ୟରେ ପରିବାର ମୁଖ୍ୟ ଆଧାରିତ ଠିକଣା ଅପଡେଟ ପାଇଁ ଏକ ନିର୍ଦ୍ଦିଷ୍ଟ ବିକଳ୍ପ ପ୍ରଚଳନ କରାଯାଇଛି । ଏହି ନୂତନ ସୁବିଧା ଅଧୀନରେ ଆପଣ ଅନଲାଇନରେ ଆବେଦନ କରିପାରିବେ । ୟୁଆଇଡିଏଆଇ ପୋର୍ଟାଲରେ ଲଗ ଇନ୍ କରନ୍ତୁ, ଠିକଣା ଅପଡେଟ ବିଭାଗରେ ପରିବାର ମୁଖ୍ୟ ଆଧାରିତ ଠିକଣା ଅପଡ଼େଟ ବିକଳ୍ପ ଚୟନ କରନ୍ତୁ ।
ପରିବାର ମୁଖ୍ୟଙ୍କ ଆଧାର ନମ୍ବର ପ୍ରବେଶ କରନ୍ତୁ । ପରିବାର ମୁଖ୍ୟଙ୍କ ସହିତ ଆପଣଙ୍କର ସମ୍ପର୍କ ପ୍ରମାଣିତ କରୁଥିବା ଏକ ଡକ୍ୟୁମେଂଟ ଅପଲୋଡ କରନ୍ତୁ । ୫୦ଟଙ୍କା ଦେୟ କରି ଆବେଦନ ଦାଖଲ କରନ୍ତୁ । ପରିବାର ମୁଖ୍ୟଙ୍କ ସହିତ ସମ୍ପର୍କର ପ୍ରମାଣ ପ୍ରଦାନ କରିବା ପାଇଁ ରେସନ କାର୍ଡ, ବିବାହ ପ୍ରମାଣପତ୍ର, ପାସପୋର୍ଟ କିମ୍ବା ମାର୍କସିଟ ଭଳି ଡକ୍ୟୁମେଂଟ ଦାଖଲ କରାଯାଇପାରିବ ।
ଆବେଦନ ଦାଖଲ କରିବା ପରେ ଏକ ସେବା ଅନୁରୋଧ ନମ୍ବର ଜାରି କରାଯିବ । ଏହା ସହିତ ଆବେଦନର ପ୍ରାପ୍ତିକୁ ସ୍ୱୀକାର କରି ଏକ ନିଶ୍ଚିତକରଣ ବାର୍ତା ପଠାଯିବ । ପରବର୍ତୀ ସମୟରେ ୩୦ଦିନ ମଧ୍ୟରେ ଆବେଦନର ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରାପ୍ତ ହେବ ।
ଯଦି ୟୁଆଇଡିଏଆଇ ୩୦ଦିନ ମଧ୍ୟରେ ଠିକଣା ଅପଡେଟ ନ କରେ, ତେବେ ଆବେଦନ ସ୍ୱୟଂଚାଳିତ ଭାବେ ବାତିଲ ହୋଇଯିବ । ୫୦ଟଙ୍କା ମଧ୍ୟ ଫେରସ୍ତ କରାଯିବ ନାହିଁ । ତେଣୁ ସମୟ ମଧ୍ୟରେ ଅନୁମୋଦନ ପାଇବା ବାଧ୍ୟତାମୂଳକ । ଯେଉଁ ଆବେଦନକାରୀଙ୍କ ପାଖରେ ସମ୍ପର୍କର ପ୍ରମାଣ ନାହିଁ, ସେମାନଙ୍କ ପାଇଁ ୟୁଆଇଡିଏଆଇ ଏକ ଆମ୍ମ ଘୋଷଣାର ବିକଳ୍ପ ପ୍ରଦାନ କରିଛି ।
ପରିବାରର ମୁଖ୍ୟ ସମ୍ପର୍କକୁ ପ୍ରମାଣିତ କରିବା ପାଇଁ ଏହି ଫର୍ମ ପୂରଣ କରି ଦାଖଲ କରିପାରିବେ ।