୭ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା
ରାଘବ ଚଢ଼ାଙ୍କ ସମେତ ସମସ୍ତ ବିଦ୍ରୋହୀ ଆପ ସାଂସଦଙ୍କୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ମାନ୍ୟତା ଦେଇଛି ।
ରାଜ୍ୟସଭା ସଚିବାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି ।
ରାଜ୍ୟସଭା ସଚିବାଳୟ ଆମ ଆଦମୀ ପାର୍ଟିରୁ ବିଜେପିରେ ଯୋଗ ଦେଇଥିବା ସମସ୍ତ ସାଂସଦଙ୍କ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି ।
ସେମାନଙ୍କୁ ବିଜେପିରେ ସାମିଲ ଘୋଷଣା କରାଯାଇଛି, ଯାହା ଫଳରେ ଉଚ୍ଚ ସଦନରେ ବିଜେପି ସଦସ୍ୟଙ୍କ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି । ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ ରବିବାର ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନଙ୍କୁ ଏକ ଚିଠି ଲେଖି ଦଳ ଛାଡ଼ିଥିବା ୭ଜଣ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଥିଲେ ।
ଚିଠିରେ କୁହାଯାଇଥିଲା ଯେ ଏହି ସାଂସଦମାନେ ଆମ ଆଦମୀ ପାର୍ଟି ଟିକଟରେ ଉଚ୍ଚ ସଦସନକୁ ନିର୍ବାଚିତ ହୋଇଥିଲେ, କିନ୍ତୁ ପରେ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାକୁ ନିଷ୍ପତି ନେଇଥିଲେ । ସଞ୍ଜୟ ସିଂହ କହିଥିଲେ ଯେ ସାତଜଣ ଆପ ସାଂସଦଙ୍କ ଏହି ପଦକ୍ଷେପ ଦଳତ୍ୟାଗ କରିବା ପରି ।
ଏହା ପଞ୍ଜାବର ଜନସାଧାରଣ ଏବଂ ଭାରତୀୟ ସମ୍ବିଧାନ ସହିତ ବିଶ୍ୱାସଘାତକତା କରିଛି । ସେ କହିଥିଲେ, ଆବଶ୍ୟକ ହେଲେ ଆମ ଆଦମୀ ପାର୍ଟି ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ତେବେ ରାଜ୍ୟସଭା ସଚିବାଳୟଦ୍ୱାରା ଜାରି ଏକ ବିଜ୍ଞପ୍ତି ଏବେ ସ୍ପଷ୍ଟ କରିଛି ଯେ ଆମ ଆଦମୀ ପାର୍ଟିର ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି ।
ଏହି ସାଂସଦମାନଙ୍କୁ ଏବେ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ବିବେଚନା କରାଯିବ । ଫଳରେ ଉପର ସଦନରେ ଆମ ଆଦମୀ ପାର୍ଟିର କେବଳ ତିନିଜଣ ସାଂସଦ ରହିବେ ।