ବ୍ୟାଙ୍କରେ ପ୍ରମାଣ ଦେବାକୁ ଆସିଲା ଗଳିତ ଶବ
ଭଉଣୀର କଙ୍କାଳ ନେଇ ପହଂଚିଲେ ଭାଇ
ବ୍ୟାଙ୍କ ଦେଲାନି ଟଙ୍କା । ମୃତ୍ୟୁର ପ୍ରମାଣ ଦେବାକୁ ବ୍ୟାଙ୍କ ଆସିଲା କଙ୍କାଳ । ଟଙ୍କା ପାଇବା ପାଇଁ ୨ ମାସ ତଳର କବର ତାଡ଼ି ତଳୁ ଗଳିତ ଶବ ଧରି ବ୍ୟାଙ୍କ ପହଂଚିଲା ଭାଇ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ପାଟଣାମଲ୍ଲୀପସି ଅଂଚଳରେ ।
ଏଠାରେ ଥିବା ବ୍ୟାଙ୍କରେ ମୃତ ଭଉଣୀ କାଲରା ନାମରେ ଜମା ଥିବା ଟଙ୍କାକୁ ନେବାକୁ ଆସିଥିଲେ ଭାଇ ଜିତୁ ମୁଣ୍ଡା । କିନ୍ତୁ ଭଉଣୀ କାଲରା ମୁଣ୍ଡା ନାମରେ ବ୍ୟାଙ୍କରେ ଥିବା କାଗଜପତ୍ରକୁ ସେ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଦେଖାଇ ନପାରିବାରୁ ତାଙ୍କୁ ଟଙ୍କା ଦେବାକୁ ବ୍ୟାଙ୍କ ଅଧିକାରୀ ମନା କରିଦେଇଥିଲେ ।
ତେବେ ଭଉଣୀ ଯେ ୨ ମାସ ତଳୁ ମରିସାରିଲେଣି ବୋଲି ପ୍ରମାଣ କରିବାକୁ ଯାଇ ଭାଇ ତାଙ୍କ କବର ତାଡ଼ି ସେଠାରେ ପୋତା ହୋଇଥିବା କଙ୍କାଳକୁ ବସ୍ତାରେ ପୂରାଇ ବ୍ୟାଙ୍କରେ ପହଂଚିଥିଲେ ।
ଏହି ଘଟଣାକୁ ନେଇ ସମଗ୍ର କେନ୍ଦୁଝର ପାଟଣା ଅଂଚଳରେ ହଇଚଇ ସୃଷ୍ଟି ହୋଇଛି ।
ପୁଲିସ ପହଂଚି ଭାଇ ଜିତୁ ମୁଣ୍ଡାକୁ ବୁଝାସୁଝା କରି କହିଥିଲା ।
ତହସିଲଦାର କାଗଜପତ୍ର ଦେବା ପରେ ବ୍ୟାଙ୍କ ତାଙ୍କୁ ଟଙ୍କା ଦେବ ବୋଲି ଜିତୁ ମାନିଥିଲେ ।
ପରେ ପୁଲିସ ଉପସ୍ଥିତିରେ ଭଉଣୀ କାଲରାଙ୍କ କଙ୍କାଳକୁ ଯଥାସ୍ଥାନରେ ପୋତା ଯାଇଥିଲା ।
ତେବେ ଏନେଇ ବ୍ୟାଙ୍କ କର୍ତୃପକ୍ଷଙ୍କ ମତାମତ ମିଳିପାରି ନାହିଁ ।