ଇରାନର ଚାଲ, ଚାପରେ ଟ୍ରମ୍ପ
ଇସଲାମବାଦକୁ ପଠାଇଲା ତ୍ରିସ୍ତରୀୟ ଶାନ୍ତି ଫର୍ମୁଲା
ଗତ ୩ ସପ୍ତାହ ତଳେ ପାକିସ୍ତାନର ଇସଲାମାବାଦରେ ଇରାନ ଓ ଆମେରିକା ମଧ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଶାନ୍ତି ଆଲୋଚନା ବିଫଳ ହେବା ପରେ ଚଳିତ ମାସ ୨୨ ତାରିଖରେ ହେବାକୁ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାକୁ ନା ଆସିଲା ଇରାନ ନା ଆମେରିକା ।
ତେବେ ଇତିମଧ୍ୟରେ ତେହେରାନ ତା’ର ନୂଆ ଚାଲ ଚଳାଇଛି ।
ଶାନ୍ତି ଆଲୋଚନା ପାଇଁ ମଧ୍ୟସ୍ଥତା କରୁଥିବା ଇସଲାମାବାଦକୁ ପଠାଇଛି ୩ଟି ସର୍ତ । ଏପରି କରି ଆମେରିକାକୁ ଇରାନ ଦେଇଛି ‘ଶାନ୍ତି ଅଫର’ ।
ସର୍ତାନୁଯାୟୀ ପ୍ରଥମେ ଯୁଦ୍ଧ ବନ୍ଦ କରିବ ଆମେରିକା । ତା’ରେ ହର୍ମୁଜ ପ୍ରଣାଳୀରୁ ଅବରୋଧ ହଟାଇବ । ଏହାପରେ ଶେଷରେ ହେବ ଆମେରିକା ସହିତ ପରମାଣୁ ଅସ୍ତ୍ର ଆଲୋଚନା ।
ଇରାନର ଏହି ୩ ପର୍ଯ୍ୟାୟ ଶାନ୍ତି ଫର୍ମୁଲା ନେଇ ଟ୍ରମ୍ପ ଏବେ ଚାପରେ ।
କାରଣ ଶାନ୍ତି ଫର୍ମୁଲାର ନଂ ୧ ଅନୁସାରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧରେ ବ୍ରେକ ଲାଗିବ । ଏଥିସହିତ ଇରାନ ଏବଂ ଲେବାନାନରେ ମଧ୍ୟ ଆକ୍ରମଣ ବନ୍ଦ ରହିବ ବୋଲି ଗ୍ୟାରେଂଟି ଦେବା ଆମେରିକା ।
ଫର୍ମୁଲା ନଂ ୨ ଅନୁଯାୟୀ, ଇରାନ ଯେତେବେଳେ ହର୍ମୁଜ ପ୍ରଣାଳୀ ଉପରୁ କଟକଣା ହଟାଇବ ସେହି ସମୟରେ ଆମେରିକା ମଧ୍ୟ ସେଠାରେ ଲଗାଇଥିବା ଅବରୋଧରୁ ପଛକୁ ଫେରିବ । ହର୍ମୁଜ ପ୍ରଣାଳୀର ପରିଚାଳନା ଏବଂ ପ୍ରଶାସନ ବିଷୟରେ ଆଲୋଚନା ହେବ ।
ପ୍ରଥମ ଦୁଇ ପର୍ଯ୍ୟାୟ ଅତିକ୍ରମ କରିବା ପରେ ତୃତୀୟ ତଥା ଶେଷ ପର୍ଯ୍ୟାୟରେ ଆମେରିକା ସହିତ ପରମାଣୁ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ଇରାନ ସର୍ତ ରଖିଛି ।
ତେବେ ଇରାନର ଏହି ତ୍ରିସ୍ତରୀୟ ଶାନ୍ତି ଫର୍ମୁଲାକୁ ନେଇ ଚାପରେ ରହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଶେଷ ପର୍ଯ୍ୟାୟରେ ପରମାଣୁ ପ୍ରସଙ୍ଗରେ ହେବାକୁ ଥିବା ଆଲୋଚନାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଟ୍ରମ୍ପ ।
କାରଣ ଆମେରିକାର ସର୍ତ ଥିଲା ପରମାଣୁ ଆଲୋଚନା ପରେ ହିଁ ଯୁଦ୍ଧ ବନ୍ଦ ହେବ ।
ଯୁଦ୍ଧ ଆରମ୍ଭରୁ ହିଁ ଟ୍ରମ୍ପ ଘୋଷଣା କରିଥିଲେ ଯେ, ଇରାନକୁ କେବେ ବି ପରମାଣୁ ଅସ୍ତ୍ର ରଖିବାକୁ ଦିଆଯିବ ନାହିଁ ।
ତେବେ ଖୁବ ଶୀଘ୍ର ଶୀର୍ଷସ୍ତରୀୟ ଜାତୀୟ ସୁରକ୍ଷା କମିଟି ସହିତ ଆମେରିକା ରାଷ୍ଟ୍ରପତିଙ୍କ ଏନେଇ ଆଲୋଚାନା ହେବ ବୋଲି ହ୍ୱାଇଟହାଉସ ସୂତ୍ରରୁ ପ୍ରକାଶ ।