ସର୍ବନିମ୍ନ ମୂଳ ବେତନ ୬୯ ହଜାର କରିବାକୁ ଦାବି
ଗତକାଲିଠାରୁ ନୂଆଦିଲ୍ଲୀରେ କର୍ମଚାରୀ ପ୍ରତିନିଧିମାନଙ୍କ ସହ ଅଷ୍ଟମ ବେଦନ ଆୟୋଗ ଆଲୋଚନା ଆରମ୍ଭ କରିଛନ୍ତି ।
ପ୍ରଥମ ବୈଠକରେ କର୍ମଚାରୀ ପ୍ରତିନିଧିମାନେ ସର୍ବନିମ୍ନ ମୂଳ ବେତନ ୬୯ହଜାର ଟଙ୍କାକୁ ବଢ଼ାଇବା, ପେନସନରେ ସଂସ୍କାର ଆଣିବା, ବେତନ ହିସାବ ପଦ୍ଦତି ବଦଳାଇବା ଆଦି ଦାବି ଉପସ୍ଥାପନ କରିଛନ୍ତି ।
ରେଳ, ପ୍ରତିରକ୍ଷା, ଡାକ, ଆୟକର, ଅଡିଟ ଓ ଅନ୍ୟାନ୍ୟ ପ୍ରଶାସିକ ସେବା କ୍ଷେତ୍ରର କର୍ମଚାରୀ ପ୍ରତିନିଧିମାନେ ଏହି ଦାବି କରିଛନ୍ତି । କର୍ମଚାରୀ ପ୍ରତିନିଧି ଆୟୋଗଙ୍କୁ ଜଣାଇଛନ୍ତି ଯେ ବର୍ତମାନର ବେତନ ଢାଂଚା ପ୍ରକୃତ ଜୀବନ ଧାରଣ ଖର୍ଚକୁ ପ୍ରତିଫଳିତ କରୁନାହିଁ ।
ସାଂପ୍ରତିକ ସମୟର ଅର୍ଥନୈତିକ ଓ ସାମାଜିକ ମାନଦଣ୍ଡ ଆଧାରରେ ବେତନ ଢାଂଚାରେ ପରିବର୍ତନ ଆବଶ୍ୟକ । ସର୍ବନିମ୍ନ ବେତନ ସହ ଫିଟମେଂଟ ଫ୍ୟାକ୍ଟରକୁ ଏକାସଙ୍ଗେ ବିଚାରକୁ ନେବାକୁ ସେମାନେ କହିଛନ୍ତି । ଫିଟମେଂଟ ଫ୍ୟାକ୍ଟରକୁ ୩.୮୩ ରଖିବାକୁ ଦାବି ଉପସ୍ଥାପନ କରାଯାଇଛି ।
ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ କର୍ମଚାରୀ ପ୍ରତିନିଧିମାନେ ପ୍ରସ୍ତାବ ଦେଇଛନ୍ତି । ବେତନ ହିସାବ ବେଳେ ବ୍ୟବହା କରାଯାଉଥିବା ପଦ୍ଧତି ପୁରୁଣା କାଳିଆ ହୋଇଗଲାଣି । ସେଥିପାଇଁ ପରିବାରର ଉପଯୋଗିତା ମଡେଲ ବ୍ୟବହାର କରାଯାଉଛି ।
ସେଥିରେ ମହିଳା ଓ ପୁରୁଷମାନଙ୍କ ପାଇଁ ପୃଥକ ପୃଥକ ଫର୍ମୁଲା ରହିଛି । ଆଗାମୀ ଦିନରେ ଏହି ଫର୍ମୁଲାକୁ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ରଖିବା ଏବଂ ହିସାବ ବେଳେ ନିର୍ଭରଶୀଳ ସନ୍ତାନ ଓ ପିତାମାତାଙ୍କ ଖର୍ଚ ବିଚାରକୁ ନେବା ପାଇଁ କର୍ମଚାରୀ ପ୍ରତିନିଧିମାନେ କହିଛନ୍ତି ।
ଆଜିର ଦିନର ଖର୍ଚ ଆଉ କେବଳ ଖାଦ୍ୟ ଓ ବାସଗୃହରେ ସୀମିତ ରହିନାହିଁ । ଡିଜିଟାଲ ସଂଯୋଗ, ଡାଟା ବ୍ୟବହାର, ପରିବହନ, ଶିକ୍ଷା ଓ ଉତମ ପୋଷାକରେ ମଧ୍ୟ ଖର୍ଚ ହେଉଛି । ବେତନ ସଂଶୋଧନ ବେଳେ ସେସବୁ ବିଷୟ ବିଚାରକୁ ନେବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।
ଘରଭଡ଼ା ଭତା, ପରିବହନ ଭତା ଓ ଅନ୍ୟାନ୍ୟ ସୁବିଧା ବଢ଼ାଇବାକୁ କୁହାଯାଇଛି । ବିପଦପୂର୍ଣ୍ଣ ବିଭାଗଗୁଡ଼ିକରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ବିପଦ ଭତା ଲାଗୁ କରିବାକୁ କର୍ମଚାରୀ ପ୍ରତିନିଧିମାନେ ପରାମର୍ଶ ଦେଇଛନ୍ତି ।