ଢେଙ୍କାନାଳରେ ଲଜ୍ଜା
ମହିଳାଙ୍କୁ ଦୁଷ୍କର୍ମ ପରେ ମୁହଁକୁ ହାଣିଲେ
ଦିନକୁ ଦିନ ରାଜ୍ୟରେ ମହିଳା ଓ ଯୁବତୀ ଅସୁରକ୍ଷିତ ହୋଇପଡ଼ୁଛନ୍ତି । ଗଣମାଧ୍ୟମରେ ପ୍ରତିଦିନ ମହଳିାଙ୍କୁ ନିର୍ଯାତନା, ଯୌତୁକ ଜନିତ ହତ୍ୟା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ପରେ ହତ୍ୟା ଭଳି ଘଟଣାମାନ ଦେଖିବାକୁ ଓ ପଢ଼ିବାକୁ ମିଳୁଛି ।
ଏହିଭଳି ଏକ ଘଟଣା ଢ଼େଙ୍କାନାଳର ଭାପୁର ଠାରେ ଘଟିଛି ।
ଏଠାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ଦୁର୍ବୃତ ତାଙ୍କ ମୁହଁକୁ ହାଣୀ ବୀଭତ୍ସ କରି ଫୋପାଡ଼ି ଦେଇ ପଳାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।
ସ୍ଥାନୀୟ ଲୋକେ ପୀଡ଼ିତାଙ୍କୁ ଉଦ୍ଧାର କରି ଏକ ଟ୍ରଲି ଯୋଗେ ଟାଣି ଟାଣି ନେଇ ହସ୍ପିଟାଲରେ ପହଂଚାଇଥିଲେ । ବର୍ତମାନ ପୀଡ଼ିତା ସେଠାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଘଟଣାରୁ ପ୍ରକାଶ ଯେ, ଭାପୁର ଅଂଚଳର ଜଣେ ୨୩ ବର୍ଷୀୟା ମହିଳା ସ୍ନାନ କରିବାକୁ ସାପୁଆ ନଦୀକୁ ଯାଇଥିଲେ । ସେତେବେଳେ ଦୁର୍ବୃତ ତାଙ୍କୁ ଏକ ବୁଦା ନିକଟକୁ ଟାଣି ନେଇଥିଲା ଏବଂ ଜୋରଜବରଦସ୍ତ ତାଙ୍କ ସହିତ ଦୁଷ୍କର୍ମ କରିଥିଲା । ପରେ ସେ ମହିଳାଙ୍କ ମୁହଁକୁ ଅତି ନିର୍ମମ ଭାବେ ହାଣି ପକାଇବା ସହ ତାଙ୍କୁ କ୍ଷତିବିକ୍ଷତ କରିଦେଇଥିଲା ।
ପରେ ତାଙ୍କ ଘର ଲୋକ ତାଙ୍କୁ ଖୋଜି ଖୋଜି ସେଠାରେ ପହଂଚି ଏବଂ ନିକଟରେ ଗାଈ ଚରାଉଥିବା ଜଣେ ବ୍ୟକ୍ତି ତାଙ୍କୁ ଦେଖି ଉଦ୍ଧାର ପାଇଁ ଆସିଥିଲେ । ତାଙ୍କୁ ଏକ ଟ୍ରଲି ଯୋଗେ ଭାପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।
ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।
ତେବେ ଖବର ଦେବା ସତ୍ୱେ କାହିଁକି ଆମ୍ବୁଲାନ୍ସ ଘଟଣାସ୍ଥଳକୁ ଆସିଲା ନାହିଁ କିମ୍ବା କାହିଁକି ଅନ୍ୟ ଏକ ଗାଡ଼ିର ବ୍ୟବସ୍ଥା କରାନଯାଇ ତାଙ୍କୁ ଗୁରୁତର ଅବସ୍ଥାରେ ଟ୍ରଲିରେ ହସ୍ପିଟାଲକୁ ନିଆଗଲା ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।