ଜଳକ୍ରୀଡ଼ା ନ କରି ଫେରିଲେ ମହାପ୍ରଭୂ
ପୁରୀ ମହାପ୍ରଭୁଙ୍କ ଚନ୍ଦନଯାତ୍ରାରେ ଗୁରୁତର ବିଶୃଙ୍ଖଳା ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି ।
ଶୁଦ୍ଧ ସୁଆର ଓ ସିଂହାରୀ ସେବକଙ୍କ ମଧ୍ୟରେ ିବାଦ ଯୋଗୁଁ ନରେନ୍ଦ୍ର ପୁଷ୍କରିଣୀରେ ରାତିଚାପ କରି ନପାରି ମହାପ୍ରଭୁ ଫେରିବାକୁ ବାଧ୍ୟ ହୋଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା । ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସେଠାରେ ପହଂଚି ଦୁଇ ଗୋଷଠୀ ସେବକଙ୍କ ସହ ଆଲୋଚନା କରିଥିଲେ ।
ସେବକମାନେ ନିଜ ଜିଦରେ ଅଟଳ ରହିବାରୁ ମହାପ୍ରଭୁଙ୍କ ରାତ୍ରି ଜଳକ୍ରୀଡ଼ା ହୋଇ ପାରି ନଥିଲା । ଚନ୍ଦନଯାତ୍ରା ଇତିହାସରେ ଏହା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ୨୪ଘଂଟା ବିତିଯାଇଥିଲେ ସୁଦ୍ଦା ବିଶୃଙ୍ଖଳା ସୃଷ୍ଟି କରିଥିବା ସେବକଙ୍କ ବିରୋଧରେ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।
ଯାହାକୁ ନେଇ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଜଣାପଡ଼ିଛି ଯେ ମଙ୍ଗଳବାର ଅପରାହ୍ନ ସାଢ଼େ ୫ଟାରେ ଦାରୁବ୍ରହ୍ମଙ୍କ ଚଳନ୍ତି ବିଗ୍ରହ ମଦନ ମୋହନ, ରାମକୃଷ୍ଣ ଓ ଭୂଦେବୀ ଶ୍ରୀଦେବୀ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବିଜେ କରିଥିଲେ । ଅଧିକ ପବନ ହେତୁ ଠାକୁରଙ୍କ ଦିନ ଚାପ କରାଯାଇ ନଥିଲା ।
ରାତିରେ ଜଳକ୍ରୀଡ଼ା ପାଇଁ ପ୍ରଭୁଙ୍କୁ ଆକର୍ଷଣୀୟ ବେଶ କରାଯାଇଥିଲା । ପାଳିଆ ସେବକମାନେ ଠାକୁରଙ୍କୁ ସୁସଜ୍ଜିତ ଡଙ୍ଗାକୁ ବିଜେ କରିଥିଲେ, ନୌବିହାର ପାଇଁ ବିଜେ କାହାଳୀ ବାଜିଥିଲା, କିନ୍ତୁ ଡଙ୍ଗାରେ ଶୁଦ୍ଧ ସେବକ ରହିବାକୁ ନେଇ ସିଂହାରୀ ସେବକ ବିରୋଧ କରିଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀ ସେବକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ।
ଏ ସମ୍ପର୍କରେ ଖବର ପାଇ ମନ୍ଦିର ଉପମୁଖ ପ୍ରଶାସକ ତଥା ଜିଲାପାଳ ସେଠାକୁ ଯାଇ ଦୁଇ ସେବକଙ୍କ ସହ ଆଲୋଚନା କରିବା ସହ ଠାକୁରଙ୍କ ଜଳକ୍ରୀଡ଼ା କରାଇବାକୁ ଅନୁରୋଧ କରିଥିଲେ । କିନ୍ତୁ ସେବକଙ୍କ ମଧ୍ୟରେ ବିବାଦ ନ ମେଂଟିବାରୁ ରାତ୍ରି ପ୍ରାୟ ଦୁଇଟାରେ ମହାପ୍ରଭୁ ଶ୍ରୀ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ ।
ଘଟଣାକୁ ନେଇ ପରେ ଜିଲାପାଳ ଶ୍ରୀ ପରିଡ଼ା ଦୁଇ ଗୋଷ୍ଠୀ ସେବକଙ୍କ ସମେତ ପରିଚାଳନା କମିଟି ସଦସି୍ୟଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ମହାପ୍ରଭୁଙ୍କ ରାତ୍ରି ଜଳକ୍ରୀଡ଼ା ବନ୍ଦ ଘଟଣା ସମ୍ପର୍କରେ ରିପୋର୍ଟ ମଗାଯାଇଛି । ତେବେ ବିଶୃଙ୍ଖଳା ସୃଷ୍ଟି କରିଥିବାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।