ସ୍ୱଦେଶୀ ‘ଆଂଟି-ସିପ ମିସାଇଲ’ର ସଫଳ ପରୀକ୍ଷଣ
ଭାରତର ସାମୁଦ୍ରିକ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ ହୋଇଛି ।
ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ମିଳିତ ଭାବେ ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ପ୍ରଥମ ଥର ପାଇଁ ନାଭାଲ ଆଂଟି ସିପ-ମିସାଇଲ-ସର୍ଟ ରେଞ୍ଜ ବା ‘ଏନଏଏସଏମ-ଏସଆର’ର ସଫଳ ‘ସାଲଭୋ ଲଂଚ’ କରିଛନ୍ତି ।
ଏହି ପରୀକ୍ଷଣ ସମୟରେ ଏକ ହେଲିକପ୍ଟରରୁ ଗୋଟିଏ ପରେ ଗୋଟିଏ କ୍ରମାଗତ ଭାବେ ଦୁଇଟି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା ।
ଏହି ସାଲଭୋ ଲଂଚ କୌଶଳ ଶତ୍ରୁ ପକ୍ଷର ପ୍ରତିରକ୍ଷା ବ୍ୟବସ୍ଥାକୁ ଭେଦ କରିବାରେ ବେଶ ସହାୟକ ହେବ । ଏହି କ୍ଷେପଣାସ୍ତ୍ରଗୁଡ଼ିକ ସ୍ୱୟଂଚାଳିତ ଭାବେ ଶତ୍ରୁ ଜାହାଜର ନିମ୍ନ ଭାଗକୁ ଟାର୍ଗେଟ କରିବା ସହ ସର୍ବାଧିକ କ୍ଷତି ଘଟାଇବାର କ୍ଷମତା ପ୍ରଦର୍ଶନ କରିଥିଲେ ।
ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଏହି ଉଚ୍ଚ ଗତିସମ୍ପନ୍ନ କ୍ଷେପଣାସ୍ତ୍ର ପ୍ରଣାଳୀ ବିଶେଷ ଭାବେ ଶତ୍ରୁ ଜାହାଜକୁ ନଷ୍ଟ କରିବା ସହିତ ଉପକୂଳବର୍ତୀ ଅଂଚଳରେ ଭାରତୀୟ ନୌସେନାର ଆକ୍ରମଣାତ୍ମକ କ୍ଷମତାକୁ ବୃଦ୍ଧି କରିବା ପାଇଁ ଡିଜାଇନ କରାଯାଇଛି ।
ଏହି ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଭୟ ଡିଆରଡିଓ, ଭାରତୀୟ ନୌସେନା ଏବଂ ଭାରତୀୟ ବାୟୁସେନାକୁ ଶୁଭଚ୍ଛୋ ଜଣାଇଛନ୍ତି ।