ବିନା ବୁକିଂରେ ଟ୍ରେନରେ ପଶୁପକ୍ଷୀ ନେଲେ ୬ଗୁଣ ଜୋରିମାନା
ରେଳ ପ୍ରଶାସନ ଟ୍ରେନରେ ପଶୁ ଏବଂ ପକ୍ଷୀ ପରିବହନ ସମ୍ପର୍କରେ କଡ଼ା ନିର୍ଦେଶାବଳୀ ଜାରି କରିଛି ।
ଉପଯୁକ୍ତ ବୁକିଂ ଏବଂ ଆବଶ୍ୟକୀୟ କାଗଜପତ୍ର ବିନା ପାଳିତ ପଶୁପକ୍ଷୀ ନେଇ ଯାଉଥିବା ଯାତ୍ରୀମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଭଡ଼ାର ଛଅଗୁଣ ପର୍ଯ୍ୟନ୍ତ ଜୋରିମାନା ଲାଗୁ କରାଯାଇପାରେ ।
ଉତର ପଶ୍ଚିମ ରେଳବାଇର ଯୋଧପୁର ଡିଭିଜନର ବରିଷ୍ଠ ଡିସିଏମ ହିତେଶ ଯାଦବ କହିଛନ୍ତି ଯେ ଭାରତୀୟ ରେଳବାଇ ଟ୍ରେନରେ ପଶୁ ଏବଂ ପକ୍ଷୀ ପରିବହନ ପାଇଁ ସ୍ପଷ୍ଟ ନିର୍ଦେଶାବଳୀ ସ୍ଥାପନ କରିଛି । ଯାହାକୁ ଯାତ୍ରୀମାନେ ପାଳନ କରିବାକୁ ବାଧ୍ୟ ହେବେ ।
ସେ ଆହୁରି କହିଛନ୍ତି ଯେ କେବଳ ପ୍ରଥମ ଏସି କିମ୍ବା ପ୍ରଥମ ଶ୍ରେଣୀରେ ପାଳିତ କୁକୁରମାନଙ୍କୁ ଟ୍ରେନରେ ଅନୁମତି ଦିଆଯାଇଛି ।
ଏଥିପାଇଁ ଏକ ସଂରକ୍ଷିତ ଡବା କିମ୍ବା କ୍ୟାବିନ, ସହଯାତ୍ରୀଙ୍କ ସମ୍ମତି ଏବଂ ଟିଟିଇଙ୍କ ଅନୁମତି ଆବଶ୍ୟକ । ପଶୁମାନଙ୍କୁ ନେବା ପାଇଁ ବୁକ କରିବା ପାଇଁ, ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ସଂପୃକ୍ତ ଷ୍ଟେସନରେ ଥିବା ପାର୍ସଲ ଅଫିସ ସହିତ ଯୋଗାଯୋଗ କରିବାକୁ ହେବ ।
ପଶୁଙ୍କ ଓଜନ କରିବା, ନିର୍ଦ୍ଦାରିତ ଫର୍ମ ପୂରଣ କରିବା ଏବଂ ପି ଦେବା ସମେତ ଆବଶ୍ୟକୀୟ ପ୍ରକ୍ରିୟା ପୂରଣ କରିବାକୁ ହେବ ।
ବୁକିଂ ପରେ ରସିଦ ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି ।